Latest Odisha News

BREAKING NEWS

ବାଲିଅନ୍ତା ଘଟଣାରେ ପୋଲିସ କରୁଛି କି ପକ୍ଷପାତିତା, ମହିଳାଙ୍କ ପଲିଗ୍ରାଫ୍ ପରୀକ୍ଷା ଦାବି କଲେ ପରିବାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଭିଡ଼ ହିଂସା ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ସୌମ୍ୟ ହତ୍ୟା ମାମଲା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସରଜମିନ୍ ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ। ଅନ୍ୟପଟେ ସରକାର ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ପରିବାର ସଦସ୍ୟ ଏବଂ ମୌଜପୁର ଗାଁର ବାସିନ୍ଦା ମହିଳାଙ୍କ ପଲିଗ୍ରାଫ୍ ପରୀକ୍ଷା ଦାବି କରିଛନ୍ତି। ଏହାସହ ଉକ୍ତ ଘଟଣାରେ ପୋଲିସର ପକ୍ଷପାତିତା ନେଇ ସ୍ଥାନୀୟ ଲୋକେ ଏବଂ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଏବେ ସୁଦ୍ଧା ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି। ବାକି ଅଭିଯୁକ୍ତଙ୍କୁ ଖୋଜାଚାଲିଛି। ମୃତ କନଷ୍ଟେବଳ ସୌମ୍ୟଙ୍କ ପରିବାର କମିଶନରେଟ ପୋଲିସର ତଦନ୍ତକୁ ନେଇ ସନ୍ତୁଷ୍ଟ ନଥିଲେ। ତେଣୁ ଏଠାରେ ପକ୍ଷପାତିତା ହେଉଥିବା କହି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ଶନିବାର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରିଛନ୍ତି। ଆଜି ଦୁଇଟି ଟିମ୍ ଥାନା ଏବଂ କ୍ରାଇମ୍ ସ୍ପଷ୍ଟକୁ ଯାଞ୍ଚ କରୁଛି। ଭାଇରାଲ୍ ଭିଡିଓ ଫୁଟେଜ୍‌ରେ ୪୧ ଜଣଙ୍କୁ ପୁଲିସ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ଆଡେ ଚଢ଼ଉ କରିଛି । ଗିରଫଦାରୀ ଭୟରେ ଆଖପାଖ ୫ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଆଜି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ଯାହା ତଦନ୍ତ ପାଇଁ ସହାୟକ ହେବ।

ସୂଚନାଯୋଗ୍ୟ, ଗତ ୭ ତାରିଖ (ଗୁରୁବାର) ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ସଡ଼କ ଦୁର୍ଘଟଣାକୁ ନେଇ ଦୁଇ ଯୁବତୀଙ୍କ ସହ ଯୁବକଙ୍କ ପାଟିତୁଣ୍ଡ ଓ ପରେ ଅସଦାଚରଣ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୋଲିସ ଆଖି ଆଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଭିଡ଼ ହତ୍ୟା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏବେ ସୁଦ୍ଧା ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି। ବାକି ଅଭିଯୁକ୍ତଙ୍କୁ ଖୋଜାଚାଲିଛି।

ଘଟଣା ଦିନ ସୌମ୍ୟଙ୍କୁ ବାଇକ୍‌ରେ ନେଇ ଓମ୍‌ ପ୍ରକାଶ ଭୁବନେଶ୍ୱର ସତ୍ୟବିହାର ଛାଡ଼ିବାକୁ ଯାଇଥିଲେ। ହଠାତ ସୌମ୍ୟ କହିଥିଲେ ଘରେ ମନିପର୍ସ ରହିଯାଇଛି । ଫେରି ଆଣିବାକୁ ପଡ଼ିବ । ତେଣୁ ଓମ୍ ବାଇକ୍ ବୁଲାଇଥିଲେ । ରାମଚନ୍ଦ୍ରପୁର କାଜ ନିକଟରେ ହଠାତ୍ ସୌମ୍ୟଙ୍କ ଆଚରଣ ବଦଳି ଯାଇଥିଲା । ସମ୍ଭବତଃ ତାଙ୍କୁ ଫିଡସ୍ (ବାତ) ମାରିଥିଲା । ସେ ଅସ୍ୱାଭାବିକ ବ୍ୟବହାର କରିବା ସହ ପଛପଟରୁ ବାଇକ୍ ଚଳାଉଥିବା ଓମ୍‌ଙ୍କ ବେକକୁ ହଠାତ୍ ମାଡ଼ି ବସିଥିଲେ । ଫଳରେ ବାଇକ୍ ଭାରସାମ୍ୟ ହରାଇଥିଲା । ରାସ୍ତାରେ ଯାଉଥିବା ଯୁବତୀଙ୍କ ସ୍କୁଟି ସହ ଗାଡ଼ି ପିଟି ହୋଇଯାଇଥିଲା । ସମସ୍ତେ ରାସ୍ତାରେ ପଡ଼ିଯିବା ପରେ ସୌମ୍ୟ ହଠାତ୍ ଯୁବତୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ଲୋକେ ଦୌଡ଼ିଆସି ସୌମ୍ୟଙ୍କୁ ମାରିବାକୁ ଆରମ୍ଭ କଲେ ।

କିଛି ସମୟ ଭିତରେ ସେଠାରେ ଥାନା ପିସିଆର୍ ପହଞ୍ଚିଥିଲା। ଗାଡ଼ିରେ ଜଣେ ସାଦା ପୋଷାକଧାରୀ ସବ୍ଇନ୍ସପେକ୍ଟର ଥିଲେ। ସେ କିଛି ନବୁଝି ସିଧାସଳଖ ସୌମ୍ୟଙ୍କୁ ମାରିଥିଲେ। ଏମିତିକି ତାଙ୍କ ଉପରେ ଚଢ଼ି ଯାଇଥିଲେ। ୟୁନିଫର୍ମରେ ଥିବା ପୋଲିସ କର୍ମଚାରୀମାନେ ପଛରେ ଛିଡ଼ା ହୋଇରହିଥିଲେ। ଜଣେ ବ୍ୟକ୍ତିଙ୍କୁ ଲୋକମାନେ ମିଶି ମାରୁଥିବା ବେଳେ ସେଠାରେ ପୋଲିସ ତାଙ୍କୁ ଉଦ୍ଧାର ନକରି ଡାଏରୀ ଧରି ଲେଖାଲେଖି କରିବାକୁ ନେଇ ଓମ୍ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଘଟଣା ସହ ଜଡ଼ିତ ଯୁବତୀଙ୍କ ଅଭିଯୋଗକୁ ମଧ୍ୟ ଓମ୍ ପ୍ରକାଶ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯୁବତୀ ଜଣକ ମିଛ କହୁଛନ୍ତି । ସୌମ୍ୟ କୌଣସି ପ୍ରକାର ମନ୍ଦ ଉଦ୍ଦେଶ୍ୟ ରଖିନଥିଲେ ବରଂ ମାନସିକ ଭାରସାମ୍ୟ ହରାଇ ବସି ତାଙ୍କୁ ମାର୍ପିଟ୍ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁଷ୍କର୍ମ ଉଦ୍ୟମ କରିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ଓମ୍ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଏହି ସବୁ କଥାକୁ ମୃତ ସୌମ୍ୟଙ୍କ ବାପା ଖଣ୍ଡନ କରୁଛନ୍ତି। ସେ ଦାବି କରୁଛନ୍ତି ଯେ ଉକ୍ତ ଯୁବତୀଙ୍କର ପଲିଗ୍ରାଫ୍ ପରୀକ୍ଷା କରାଯାଉ। ସତ ସାମ୍ନାକୁ ଆସିବା ଦରକାର। ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସର କାର୍ଯ୍ୟଶୈଳୀ, ପୀଡ଼ିତା ଯୁବତୀଙ୍କ ବୟାନ ଓ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍‌ଙ୍କ ପ୍ରତିକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଠିକ୍ ତଦନ୍ତ ହେବା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ରହସ୍ୟ ଉପରୁ ପର୍ଦ୍ଦା ଉଠିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.