ଚେନ୍ନାଇ: ତାମିଲନାଡୁରେ ଥାଲାପଥି ବିଜୟଙ୍କ ସରକାର ଆରମ୍ଭ ହୋଇଛି। ଆଜି ସେ ଶପଥ ଗ୍ରହଣ କରିଥିଲା ବେଳେ ତାଙ୍କୁ ନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟୀ ଯାଏଁ ସଭିଏଁ ଶୁଭେଚ୍ଛା ଜଣାଇଛନ୍ତି। ଏପଟେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କଟାକ୍ଷ କରିଛନ୍ତି।
ଷ୍ଟାଲିନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି ଯେ ସରକାରଙ୍କ ପାଖରେ ସମ୍ବଳର ଅଭାବ ନାହିଁ, ବରଂ ସେଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କ୍ଷମତା ଏବଂ ଇଚ୍ଛାଶକ୍ତି ଆବଶ୍ୟକ। ସେ କହିଛନ୍ତି ଯେ ଫେବୃଆରୀ ବଜେଟରେ ରାଜ୍ୟର ଆର୍ଥିକ ସ୍ଥିତି ସ୍ପଷ୍ଟ ହୋଇସାରିଛି। ବିଜୟଙ୍କ ଅଭିଯୋଗର ଜବାବରେ ସେ କହିଛନ୍ତି ଯେ ସମ୍ପୂର୍ଣ୍ଣ ସୂଚନା ବିନା ସରକାରଙ୍କ ପାଖରେ ଟଙ୍କା ନାହିଁ ବୋଲି କହିବା ଠିକ୍ ନୁହେଁ।
ଷ୍ଟାଲିନ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣଙ୍କୁ ଭ୍ରମିତ କରିବାର କୌଣସି ପ୍ରୟାସ କରାଯିବା ଉଚିତ୍ ନୁହେଁ। ସରକାର ଚଳାଇବାର ପ୍ରକୃତ ଚ୍ୟାଲେଞ୍ଜଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଏବଂ ନୂଆ ନେତୃତ୍ୱ ସମୟ ସହିତ ଅଭିଜ୍ଞତା ହାସଲ କରିବେ। ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ପ୍ରଶାସନିକ ଚ୍ୟାଲେଞ୍ଜର ବାସ୍ତବତା ସମୟ ସହିତ ବୁଝିହେବ।
ରାଜନୈତିକ ବୟାନବାଜି ମଧ୍ୟରେ ଷ୍ଟାଲିନ ମଧ୍ୟ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ତାମିଲନାଡୁର ବିକାଶ ଯାତ୍ରା ଜାରି ରହିବା ଉଚିତ ଏବଂ ନୂତନ ନେତୃତ୍ୱ ରାଜ୍ୟର ସ୍ୱାର୍ଥରେ କାମ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ରାଜ୍ୟର ଋଣ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ ବିଜୟ। ଯେଉଁଥିରେ ସେ କହିଥିଲେ ଯେ ତାମିଲନାଡୁର ପୂର୍ବ ସରକାର ରାଜ୍ୟ ଉପରେ ୧୦ ଲକ୍ଷ କୋଟିର ବିପୁଳ ଋଣ ପକାଇଛନ୍ତି ଏବଂ ରାଜକୋଷ ଖାଲି କରିଦେଇଥିଲେ। ଯାହାର ଜବାବରେ ସ୍ପଷ୍ଟୀକରଣ ଦେଇ ଷ୍ଟାଲିନ କହିଥିଲେ ଯେ ରାଜ୍ୟର ଋଣ ସୀମା ଭିତରେ ଅଛି।