ଭୁବନେଶ୍ବର: ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ନାଇଟ ଅପରେସନ ଆରମ୍ଭ କରିଛି କମିଶନରେଟ ପୋଲିସ । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପାଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ ମିଳିଛି ।
ଗତକାଲି ଭୁବନେଶ୍ୱର ସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ଏବଂ ପୋଲିସିଂ ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଲୋକାଭିମୁଖୀ କରିବା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ଏହି ବୈଠକ ପରେ ସହରର ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି । ରାତି ସମୟରେ ଅପରାଧୀଙ୍କ ଉପରେ କଡା ନଜର ରଖିବା ସହ ସେମାନଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।