ଭୁବନେଶ୍ୱର: ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳାଫଳକୁ ନେଇ ବିଜେଡି ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦଳ ରବିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଫେରାଦ ହୋଇଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସହ ୫ ଜଣିଆ ଟିମ ସିଇଓଙ୍କ ସହ ଆଲୋଚନା କରିଥିଲା।
ବିଜେଡିର ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୧୬ ତାରିଖରେ ହୋଇଥିବା ମତଦାନ ସମୟରେ ଦୁଇଜଣ ବିଧାୟକଙ୍କୁ ବେଆଇନ ଭାବେ ଦ୍ୱିତୀୟ ଥର ବାଲଟ୍ ପେପର୍ ଦିଆଯାଇଥିଲା। ସେମାନେ ହେଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବଂ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ଦଳର କହିବା କଥା, ଏହି ଦୁଇ ବିଧାୟକ ପ୍ରଥମେ ନିଜ ବାଲଟ୍ ପେପରରେ ଭୋଟ୍ ଦେଇ ସାରିଥିଲେ। କିନ୍ତୁ ପରେ ଭୋଟ୍ ଦେବାରେ ଭୁଲ୍ ହୋଇଛି କହି ଦ୍ୱିତୀୟ ବାଲଟ୍ ପେପର୍ ମାଗିଥିଲେ।
ବିଜେଡି ନିଜ ଆବେଦନରେ ‘ନିର୍ବାଚନ ପରିଚାଳନା ନିୟମାବଳୀ-୧୯୬୧’ର ଧାରା ୪୧କୁ ଉଦ୍ଧାର କରିଛି। ନିୟମ ଅନୁସାରେ, ଯଦି ବାଲଟ୍ ପେପର୍ ଅଜାଣତରେ ନଷ୍ଟ ବା ଅବ୍ୟବହାର୍ଯ୍ୟ ହୋଇଯାଏ, ତେବେ ହିଁ ଦ୍ୱିତୀୟ ବାଲଟ୍ ଦିଆଯାଇପାରିବ। କିନ୍ତୁ ଭୋଟ୍ ଦେବା ପରେ ନିଜର ପସନ୍ଦ ବଦଳାଇବା କିମ୍ବା ଭୁଲ୍ ସଂଶୋଧନ କରିବା ପାଇଁ ଦ୍ୱିତୀୟ ବାଲଟ୍ ଦେବାର କୌଣସି ପ୍ରାବଧାନ ନାହିଁ।
ସବୁଠାରୁ ବଡ଼ କଥା ହେଲା, ଭୋଟ୍ ଦେବା ସମୟରେ ଜଣେ ବିଧାୟକ “ଭୁଲ୍ରେ ଡବଲ ମାର୍କିଂ କରିଦେଲି” ବୋଲି କହିଥିବା ଅଭିଯୋଗ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ବାଲଟ୍ ପେପର୍ ନଷ୍ଟ ହୋଇ ନଥିଲା, ବରଂ ଭୋଟ୍ ଦେବାରେ ଭୁଲ୍ ହୋଇଥିଲା। ଏହି ସମଗ୍ର ଘଟଣାର ସିସିଟିଭି ଫୁଟେଜ୍, ଭିଡିଓ ଏବଂ ଅଡିଓ ରେକର୍ଡିଂ ଯାଞ୍ଚ କରିବାକୁ ବିଜେଡି ଦାବି କରିଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ପୂର୍ବରୁ ପ୍ରଶ୍ନ ଉଠାଇବା ସହ ଭାରତୀୟ ନିର୍ବାଚନ କମିଶନଙ୍କୁ ଜଣାଇ ସାରିଛନ୍ତି। ଦଳର ଦାବି ହେଉଛି, ବିଜେପି ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ପଡ଼ିଥିବା ଏହି ଦୁଇଟି ବିବାଦୀୟ ଭୋଟକୁ ରଦ୍ଦ କରାଯାଉ। ଏହାସହ ବିଜେଡି ସମର୍ଥିତ ପ୍ରାର୍ଥୀ ଡକ୍ଟର ଦତ୍ତେଶ୍ୱର ହୋତାଙ୍କୁ ବିଜୟୀ ଘୋଷଣା କରାଯାଉ।