ନୂଆଦିଲ୍ଲୀ: ସାରା ଦେଶର ମେଡିକାଲ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଜାତୀୟ ପରୀକ୍ଷା ସଂସ୍ଥା (NTA) ଗତ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିବା NEET UG 2026 ପରୀକ୍ଷାକୁ ବାତିଲ କରିଦେଇଛି। ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଏହି ପଦକ୍ଷେପ ନିଆଯାଇଛି।
ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବିଭିନ୍ନ ତଦନ୍ତକାରୀ ସଂସ୍ଥାର ତଥ୍ୟକୁ ଆଧାର କରି ଏହି ପରୀକ୍ଷା ପ୍ରକ୍ରିୟାକୁ ରଦ୍ଦ କରାଯାଇଛି। ଏହି ସମ୍ପୂର୍ଣ୍ଣ ମାମଲାର ଗଭୀର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ଦାୟିତ୍ୱ ଦେଇଛନ୍ତି। ବାତିଲ ହୋଇଥିବା ପରୀକ୍ଷା ପୁଣିଥରେ ଅନୁଷ୍ଠିତ ହେବ। ଏଥିପାଇଁ ନୂଆ ତାରିଖ ଓ ନୂଆ ଆଡମିଟ୍ କାର୍ଡ ଖୁବଶୀଘ୍ର NTA ର ଅଫିସିଆଲ୍ ୱେବସାଇଟରେ ଘୋଷଣା କରାଯିବ।
ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନୂଆ କରି ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଏଥିସହ ପୂର୍ବରୁ ଦେଇଥିବା ପରୀକ୍ଷା ଫି’ ଫେରସ୍ତ କରାଯିବ ଏବଂ NTA ନିଜସ୍ୱ ସମ୍ବଳରେ ପୁନଃ ପରୀକ୍ଷା କରାଇବ।
NTA ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷାରେ ବିଶ୍ୱସନୀୟତା ଓ ସ୍ୱଚ୍ଛତା ରକ୍ଷା କରିବା ଆମର ପ୍ରାଥମିକତା। ଯଦିଓ ଏହି ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେବେ, କିନ୍ତୁ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହା ଏକ ଜରୁରୀ ପଦକ୍ଷେପ।
କୌଣସି ଗୁଜବରେ ବିଶ୍ୱାସ ନକରି କେବଳ NTA ର ଅଫିସିଆଲ୍ ୱେବସାଇଟ୍ (neet.nta.nic.in) ଉପରେ ନଜର ରଖିବାକୁ କୁହାଯାଇଛି।