ନୂଆଦିଲ୍ଲୀ: ଗର୍ଭାବସ୍ଥାର ପ୍ରଥମ ତିନି ମାସ ବା ପ୍ରଥମ ଟ୍ରାଇମେଷ୍ଟର ସମୟରେ ଶରୀରରେ ନୂଆ ପରିବର୍ତ୍ତନ ଆରମ୍ଭ ହୋଇଥାଏ। ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଅନୁସାରେ, ଏହି ସମୟରେ ମହିଳାମାନେ ଖୁବ୍ ହାଲୁକା ବ୍ୟାୟାମ କରିବା ଉଚିତ୍। ବେକ, କାନ୍ଧ ଏବଂ ଗୋଡ଼ର ଗଣ୍ଠି ପାଇଁ ସରଳ ବ୍ୟାୟାମ ସହ ତାଡ଼ାସନ, ବୃକ୍ଷାସନ ଏବଂ ଶବାସନ ଭଳି ଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ମାନସିକ ଶାନ୍ତି ପାଇଁ ନାଡ଼ି ଶୋଧନ ଏବଂ ଭ୍ରାମରୀ ପ୍ରାଣାୟାମ ଅତ୍ୟନ୍ତ ଲାଭଦାୟକ।
ଚାରିରୁ ଛଅ ମାସ ବେଳକୁ ମହିଳାମାନେ ଅଧିକ ସକ୍ରିୟ ଅନୁଭବ କରନ୍ତି। ତେଣୁ ଏହି ସମୟରେ ଯୋଗ ଅଭ୍ୟାସକୁ ସାମାନ୍ୟ ବଢ଼ାଯାଇପାରିବ। ତାଡ଼ାସନ, ତ୍ରିକୋଣାସନ ଏବଂ ବୀରଭଦ୍ରାସନ ଭଳି ଆସନ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାସହ ବସିକି ଯୋଗ କରିବା ପାଇଁ ବଦ୍ଧକୋଣାସନ ଏବଂ ମାର୍ଜରୀ ଆସନ ମଧ୍ୟ ଲାଭଦାୟକ ବୋଲି ଆୟୁଷ ମନ୍ତ୍ରଣାଳୟ କହିଛି।
ଗର୍ଭାବସ୍ଥାର ଶେଷ ତିନି ମାସ ବା ତୃତୀୟ ଟ୍ରାଇମେଷ୍ଟର ସବୁଠାରୁ ସମ୍ବେଦନଶୀଳ ପର୍ଯ୍ୟାୟ। ଶରୀର ଭାରୀ ହେଉଥିବାରୁ ଏହି ସମୟରେ କେବଳ ସରଳ ଆସନ ହିଁ କରିବା ଉଚିତ୍। ତାଡ଼ାସନ ଏବଂ ସୁଖାସନ ଭଳି ହାଲୁକା ଯୋଗ ସହ ପ୍ରାଣାୟାମ ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ। ଏହା ମହିଳାଙ୍କୁ ମାନସିକ ସ୍ଥିରତା ପ୍ରଦାନ କରିଥାଏ।
ତେବେ ଏହି ସମୟରେ ଯେଉଁ ଆସନରେ ପେଟ ଉପରେ ଅଧିକ ଚାପ ପଡ଼େ, ତାହା କରିବା ଉଚିତ ନୁହେଁ। ଯେପରିକି ଭୁଜଙ୍ଗାସନ କିମ୍ବା ଧନୁରାସନ, ଓଲଟା ଆସନ ଆଦି କରିବା ଅନୁଚିତ । ଶୀର୍ଷାସନ କିମ୍ବା ସର୍ବାଙ୍ଗାସନ କରିବା ଉଚିତ୍ ନୁହେଁ। ପେଟକୁ ଅଧିକ ମୋଡ଼ିବା ଆସନ ଶିଶୁ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ପଛକୁ ନଇଁବା ଆସନ ମଧ୍ୟ ଏଡ଼ାଇବା ଉଚିତ।
ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଗର୍ଭାବସ୍ଥାରେ ଯୋଗ କରୁଥିବା ବେଳେ ଶରୀର ଉପରେ ଚାପ ପକାଇବା ଅନୁଚିତ୍। କେବଳ ସେତିକି କରନ୍ତୁ ଯାହା ଶରୀର ପାଇଁ ସହଜ ଏବଂ ଆରାମଦାୟକ ।