ଭୁବନେଶ୍ୱର: ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ହିଂସା ଥମିବାରେ ନାଁ ନେଉନି। ଗତ କିଛି ଦିନ ହେବ ଅପରାଧ ବଢିଯାଇଛି। ପୂର୍ବ ଶତ୍ରୁତାକୁ ନେଇ ପୁଣି ରାଜଧାନୀରେ ବୁଲିଲା ଖଣ୍ଡା। ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା ନୂଆଗାଁ ଅଞ୍ଚଳ ପେଟ୍ରୋଲ ପମ୍ପ ନିକଟରେ। ଯୁବକଙ୍କୁ ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଛନ୍ତି।
ଆହତ ଯୁବକ ହେଲେ ସୁବୁନ ଧିର। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଛାନବିନ ଆରମ୍ଭ କରିଛି ଧଉଳି ଥାନା ପୋଲିସ। ପିସିଆର ଭ୍ୟାନ ଗୁରୁତର ଅବସ୍ଥାରେ ସୁବୁନ ଧିରକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଗୁରୁତର ଆହତ ହୋଇଥିବା ସୁବୁନ ଧିର ନାମରେ ପୂର୍ବରୁ ଏକାଧିକ ମାମଲା ଥିଲା। ସେଥିରୁ ଗୋଟିଏ ମାମଲାର ସମାଧାନ କରିବା ଲାଗି ୩ଜଣ ଯୁବକଙ୍କୁ ଏକ ସ୍ଥାନକୁ ଡାକିଥିଲା। ସେଠାରେ କଥାବାର୍ତ୍ତା ପରେ ମାମଲା ସମାଧାନ ବାଟ ବାହାରିନଥିଲା। ପରେ ସୁବୁନ ଧିର ଏକ ଖଣ୍ଡାରେ ଆକ୍ରମଣ କରିଥିଲା। ୩ଜଣ ଯୁବକ ମିଶି କାଠ ଫାଳିଆରେ ସୁବୁନ ଧିର ମୁଣ୍ଡକୁ ପିଟି ଦେଇଥିଲେ।
ସେହିପରି ଗତ ଦୁଇ ଦିନ ପୂର୍ବରୁ ସହିଦ ନଗର ସବର ସାହିରେ ଛୁରା ମାଡ଼ ହୋଇଥିଲା। ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ଆହତ ହୋଇଥିଲା। ଏକାଠି ତିନି ସାଙ୍ଗ ଭୋଜି କରି ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇଥିଲା। ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା ସହିଦ ନଗର ଥାନା ପୋଲିସ। ଛୁରା ମାଡ଼ରେ ରାମ ସୋରେନଙ୍କ ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ। ତିନି ସାଙ୍ଗକୁ ଅଟକ ରଖି ଘଟଣାର ତଦନ୍ତ କରୁଥିଲା ସହିଦନଗର ଥାନା ପୋଲିସ।