Latest Odisha News

BREAKING NEWS

କୁଆଡ଼େ ଗଲେ ମହାଭାରତର ‘ସଞ୍ଜୟ’ ?

ମୁମ୍ବାଇ: ନିଜର ଗମ୍ଭୀର କଣ୍ଠସ୍ୱର ଏବଂ ଚମତ୍କାର ଅଭିନୟ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ ଅଭିନେତା ଲଳିତ ମୋହନ ତିୱାରୀ । ମହାଭାରତରେ ସଞ୍ଜୟଙ୍କ ଭୂମିକା ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । କିନ୍ତୁ ଏହି ସଫଳତା ପଛରେ ଥିଲା ଏକ ବଡ଼ ରିସ୍କ। ଲଳିତ ମୋହନ ଜଣେ ସଫଳ ଅଭିନେତା ହେବା ପୂର୍ବରୁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି କରୁଥିଲେ। ମାତ୍ର ଅଭିନୟ ପ୍ରତି ଥିବା ଦୁର୍ବଳତା ଯୋଗୁଁ ସେ ସୁରକ୍ଷିତ ଚାକିରି ଛାଡ଼ି ମାୟାନଗରୀ ମୁମ୍ବାଇରେ ପାଦ ରଖିଥିଲେ।

କେବଳ ଛୋଟ ପରଦା ନୁହେଁ, ବରଂ ବଡ଼ ପରଦାରେ ମଧ୍ୟ ସେ ନିଜର ଜଲୱା ଦେଖାଇଛନ୍ତି। ୧୯୮୭ରେ ‘ୟେ ୱୋ ମଞ୍ଜିଲ ତୋ ନେହିଁ’ରୁ କ୍ୟାରିୟର ଆରମ୍ଭ କରି ସେ ‘ଚାନ୍ଦିନୀ’, ‘ଲମ୍ହେ’ ଏବଂ ‘ଡର’ ଭଳି ସୁପରହିଟ୍ ଫିଲ୍ମରେ ଶାହରୁଖ ଖାନ ଏବଂ ଅନିଲ କପୁରଙ୍କ ଭଳି ବଡ଼ ତାରକାଙ୍କ ସହ କାମ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଚର୍ଚ୍ଚାର ଶୀର୍ଷରେ ଥିବା ଏହି ଅଭିନେତା ଏବେ କେଉଁଠି ? ସୂଚନା ଅନୁଯାୟୀ, ଲଳିତ ମୋହନ ଏବେ ଚକଚକିଆ ଦୁନିଆରୁ ଦୂରେଇ ନିଜ ଜନ୍ମମାଟି ଉତ୍ତରାଖଣ୍ଡର ନୈନିତାଲରେ ରହୁଛନ୍ତି। ଅଭିନୟରୁ ଦୂରେଇ ଯାଇଥିଲେ ବି ସେ କଳା ସହ ଜଡ଼ିତ ଅଛନ୍ତି। ବର୍ତ୍ତମାନ ସେ ଜଣେ ଆକ୍ଟିଂ ଟ୍ରେନର ଭାବେ ନୂଆ କଳାକାରଙ୍କୁ ଅଭିନୟ ଶିଖାଉଛନ୍ତି। ଏପରିକି ଦିଲ୍ଲୀର ପ୍ରତିଷ୍ଠିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, NSD ରେ ମଧ୍ୟ ସେ ଅତିଥି ପ୍ରଶିକ୍ଷକ ଭାବେ ନିଜର ସେବା ପ୍ରଦାନ କରୁଛନ୍ତି। କିଛି ବର୍ଷ ପୂର୍ବେ ତାଙ୍କୁ କୁମାଉଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଛି।

ମହାଭାରତର ସେହି ବିଚକ୍ଷଣ ସଞ୍ଜୟ ଆଜି ହୁଏତ ପରଦାରୁ ଦୂରରେ, କିନ୍ତୁ ଜଣେ ଗୁରୁ ଭାବେ ସେ ଆଜି ବି ଅନେକ ‘ସଞ୍ଜୟ’ ଓ ‘ଅର୍ଜୁନ’ଙ୍କୁ ଗଢ଼ିବାରେ ନିଜକୁ ନିୟୋଜିତ କରିଛନ୍ତି।

Leave A Reply

Your email address will not be published.