Latest Odisha News

BREAKING NEWS

ରାୟଗଡ଼ା ହତ୍ୟାକାଣ୍ଡରେ ପୋଲିସକୁ ବଡ଼ ସଫଳତା: ବିହାରରୁ ଧରାପଡ଼ିଲେ ୩ ମୁଖ୍ୟ ଅଭିଯୁକ୍ତ, ଖୁଲାସା ହେବ ହତ୍ୟାର ରହସ୍ୟ

ରାୟଗଡ଼ା: ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼, ଆଉ ତା’ ପରେ ଅପହରଣ କରି ବୀଭତ୍ସ ହତ୍ୟା। ରାୟଗଡ଼ା ସହରକୁ ଦୋହଲାଇ ଦେଇଥିବା ବହୁ ଚର୍ଚ୍ଚିତ ୧୯ ବର୍ଷୀୟ ନିଖିଳ ହଡିପା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଘଟଣା ଘଟାଇବା ପରେ ରାଜ୍ୟ ବାହାରକୁ ଫେରାର୍ ହୋଇଯାଇଥିବା ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରାୟଗଡ଼ା ପୋଲିସ ଶେଷରେ ବିହାରରୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗିରଫଦାରୀ ପରେ ସହରରେ ଲାଗି ରହିଥିବା ଉତ୍ତେଜନା ସାମାନ୍ୟ କମିଥିବା ବେଳେ, ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟରମାଇଣ୍ଡ ଏବଂ କାରଣ ଖୁବଶୀଘ୍ର ପଦାକୁ ଆସିବ ବୋଲି ଆଶା କରାଯାଉଛି।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ପୋଲିସ ଆଖିରେ ଧୂଳି ଦେଇ ବାରମ୍ବାର ନିଜର ଠିକଣା ବଦଳାଉଥିଲେ। ସେମାନଙ୍କୁ ଧରିବା ପାଇଁ ମୋଟ ୬ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ଗୁଇନ୍ଦା ଏବଂ ମୋବାଇଲ୍ ଟ୍ରାକିଂ ମାଧ୍ୟମରେ ପୋଲିସକୁ ସୂଚନା ମିଳିଥିଲା ଯେ ଅଭିଯୁକ୍ତମାନେ ବିହାରରେ ଆତ୍ମଗୋପନ କରିଛନ୍ତି।

ମୋବାଇଲ ଲୋକେସନ, କଲ୍‌ ଡିଟେଲ୍ସ ଓ ଅନ୍ୟାନ୍ୟ ଟେକ୍ନିକାଲ ପ୍ରମାଣକୁ ଆଧାର କରି ପୁଲିସ ବିହାରରେ ଚଢ଼ାଉ କରିଥିଲା। ବିହାରର ଔରଙ୍ଗାବାଦରେ ମଦନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଚଢ଼ାଉ କରି ପୋଲିସ ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ— ଉମେଶ ହିଆଲ, ରାଜ ସିମଲି ଏବଂ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ।

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ହତ୍ୟାକାଣ୍ଡଟି ପୂର୍ବରୁ ଯୋଜନା କରାଯାଇଥିଲା। ଘଟଣା ଦିନ ଅଭିଯୁକ୍ତମାନେ ମୃତକଙ୍କ ଗତିବିଧି ଉପରେ ନଜର ରଖିଥିଲେ। ସୁଯୋଗ ମିଳିବା ପରେ ଆକ୍ରମଣ କରାଯାଇଥିଲା। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା ହୋଇଥିବା ପୁଲିସ କହିଛି।

ଗିରଫ ତିନି ଅଭିଯୁକ୍ତଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଓଡ଼ିଶାକୁ ଆଣାଯିବ। ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ମାମଲାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.