Latest Odisha News

BREAKING NEWS

ତେଲ ଦର ବୃଦ୍ଦିରେ ଅସ୍ତବ୍ୟସ୍ତ ଅନ୍ ଲାଇନ୍ ଡେଲିଭରୀ କର୍ମଚାରୀ: ଦେଶବ୍ୟାପୀ ହରତାଳ, ପାରିଶ୍ରମିକ ବୃଦ୍ଧି ଦାବି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହଠାତ୍ ହୋଇଥିବା ବୃଦ୍ଧି ସାଧାରଣ ଖାଉଟିଙ୍କ ସମେତ ଅନ୍ ଲାଇନ୍ ସେବା ଯୋଗାଉଥିବା କର୍ମଚାରୀ ବା ‘ଗିଗ୍ ୱାର୍କର’ ମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଗୋଟିଏ ପଟେ ତେଲ ଦର ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟେ କମ୍ପାନୀ ପକ୍ଷରୁ ସେମାନଙ୍କ ଆୟ ବା କମିଶନ୍ ସେହି ଅନୁପାତରେ ବଢ଼ୁନାହିଁ। ଏହି ଶୋଷଣ ଏବଂ ଆର୍ଥିକ ସଙ୍କଟକୁ ତୀବ୍ର ବିରୋଧ କରି ଶନିବାର ଏକ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦିଆଯାଇଛି। ଆଜି ଦିନ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମସ୍ତ ଆପ୍-ଭିତ୍ତିକ ସେବା ଯଥା ଖାଦ୍ୟ ବିତରଣ, ଗ୍ରୋସରୀ ସପ୍ଲାଏ ଏବଂ କ୍ୟାବ୍ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ୟୁନିୟନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଏବଂ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ସ୍ଥିତି କାରଣରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପ୍ରାୟ ୩ ଟଙ୍କା ମହଙ୍ଗା ହୋଇଛି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୯୭ ଟଙ୍କା ପାର୍ କରିଯାଇଥିବା ବେଳେ ଡିଜେଲ ୯୦ ଟଙ୍କା ଉପରେ ରହିଛି। ଅନ୍ୟ ସହରଗୁଡ଼ିକରେ ତେଲ ସ୍ଥିତି ଆହୁରି ସଙ୍ଗିନ। ଦିନରାତି ଖରା ବର୍ଷାକୁ ଖାତିର ନକରି ଟ୍ରାଫିକ୍ ଭିତରେ ନିଜ ବାଇକ୍ କିମ୍ବା ସ୍କୁଟରରେ ଜିନିଷ ପହଞ୍ଚାଉଥିବା ଏହି ଡେଲିଭରୀ ବୟ ଓ କ୍ୟାବ୍ ଡ୍ରାଇଭରମାନେ ନିଜ ପକେଟରୁ ହିଁ ତେଲ ଖର୍ଚ୍ଚ ବହନ କରୁଛନ୍ତି।

କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଯେଉଁ ହାରରେ ତେଲ ଦାମ୍ ବଢ଼ୁଛି, ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍, ଓଲା ଓ ଉବେର ଭଳି କମ୍ପାନୀଗୁଡ଼ିକ ସେମାନଙ୍କର ପ୍ରାପ୍ୟ କିମ୍ବା କମିଶନକୁ ସେହି ଅନୁସାରେ ଆଦୌ ବଢ଼ାଉ ନାହାନ୍ତି। ଫଳରେ ଏହି ଗରିବ ଖଟିଖିଆଙ୍କ ହାତକୁ ଦିନ ଶେଷରେ ଯାହା କିଛି ଆସୁଛି, ତାହା ଘର ଚଳାଇବା ପାଇଁ ଯଥେଷ୍ଟ ହେଉନାହିଁ।

ଏହି ସମସ୍ୟାକୁ ନେଇ ‘ଗିଗ୍ ଆଣ୍ଡ ପ୍ଲାଟଫର୍ମ ସର୍ଭିସେସ୍ ୱାର୍କର୍ସ ୟୁନିୟନ’ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୟୁନିୟନର ସଭାପତି ସୀମା ସିଂହ ସ୍ପଷ୍ଟ ଭାବେ କହିଛନ୍ତି ଯେ କମ୍ପାନୀଗୁଡ଼ିକ ତୁରନ୍ତ କିଲୋମିଟର ପିଛା ସର୍ବନିମ୍ନ ପାରିଶ୍ରମିକକୁ ୨୦ ଟଙ୍କାକୁ ବୃଦ୍ଧି କରନ୍ତୁ। ନଚେତ୍ ଆଗକୁ ହଜାର ହଜାର କର୍ମଚାରୀ ବାଧ୍ୟ ହୋଇ ଏହି ପେଶା ଛାଡ଼ିଦେବାକୁ ବାଧ୍ୟ ହେବେ।

ବର୍ତ୍ତମାନ ଭାରତରେ ପ୍ରାୟ ୧.୨ କୋଟିରୁ ଊର୍ଦ୍ଧ୍ୱ ଗିଗ୍ ୱାର୍କର କାର୍ଯ୍ୟରତ ଅଛନ୍ତି, ଯେଉଁମାନଙ୍କ ପାଇଁ କୌଣସି ସ୍ଥାୟୀ ସାମାଜିକ ସୁରକ୍ଷା କିମ୍ବା ଦୃଢ଼ ଶ୍ରମ ଆଇନ ନାହିଁ। ମୁଦ୍ରାସ୍ଫୀତି ଏବଂ ମହଙ୍ଗା ମାଡ଼ରେ ଛନ୍ଦି ହୋଇପଡ଼ିଥିବା ଏହି ଶ୍ରମିକମାନେ ଏବେ ସରକାର ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ନ୍ୟାୟ ଦାବି କରିଛନ୍ତି।

Leave A Reply

Your email address will not be published.