ରାୟପୁର: ଶୀଘ୍ର ଋଣ ମୁକ୍ତ ପାଇଁ ଚାଲିଥିଲା ନକଲି ନୋଟ ଛପା । ବିଶେଷ ସୂତ୍ରରୁ ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ର କାଙ୍କେରର କୋତୱାଲି ଥାନା ଅଞ୍ଚଳରୁ । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତା ଠାରୁ ପ୍ରାୟ ୬.୫ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି ପୋଲିସ ।
ତେବେ ଜବତ ଟଙ୍କା ଭିତରେ ପରିମାଣର ନକଲି ୫୦୦ ଟଙ୍କିଆ ନୋଟ ରହିଛି । ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛି ଯେ, ସେ ଋଣଗ୍ରସ୍ତ ଥିଲା ଏବଂ ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ନକଲି ନୋଟ ଛାପିବା ପାଇଁ ଯୋଜନା କରିଥିଲା । ତେଣୁ ଏଥିପାଇଁ ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ଉପକରଣ କିଣି ଆରମ୍ଭ କରିଦେଇଥିଲା ନକଲି ନୋଟ୍ ଛାପିବା ।
ତେବେ ଯୁବକ ଜଣଙ୍କୁ ଗିରଫ କରାଯିବା ସହ ପ୍ରିଣ୍ଟର ମେସିନ ଜବତ କରାଯାଇଛି । ସେ ଏକୁଟିଆ ଏହି ନକଲି ନୋଟ ଛାପୁଥିଲେ ନା ଏହି କାମରେ ଆଉ କିଏ ତାଙ୍କୁ ସହଯୋଗ କରୁଥିଲା ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗରେ ଖୋଳତାଡ ଆରମ୍ଭ କରିଛି ପୋଲିସ ।