ନୂଆଦିଲ୍ଲୀ: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ‘ସୁପ୍ରିମ କୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ଅଧ୍ୟାଦେଶ ୨୦୨୬ ଜାରି କରିଛନ୍ତି, ଯାହା ଅଧୀନରେ ସୁପ୍ରିମକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରାଯାଇଛି। ଏଥିରେ ଭାରତର ମୁଖ୍ୟ ବିଚାରପତି ସାମିଲ ହେବେ ନାହିଁ। ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁପ୍ରିମକୋର୍ଟରେ ବଢ଼ୁଥିବା ମାମଲାଗୁଡ଼ିକର ବକେୟା ହ୍ରାସ କରିବା ଏବଂ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା।
ଏନେଇ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, “ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୩୮ ଜଣ ବିଚାରପତି ରହିବେ। ରାଷ୍ଟ୍ରପତି ସୁପ୍ରିମକୋର୍ଟ ସଂଶୋଧନ ଅଧ୍ୟାଦେଶ, ୨୦୨୬ ପ୍ରଣୟନ କରି ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ୩୮କୁ ବୃଦ୍ଧି କରୁଛନ୍ତି।”
ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ମେ’ ୫ ତାରିଖରେ ଭାରତୀୟ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ସରକାରଙ୍କ ଅନୁଯାୟୀ, ସୁପ୍ରିମକୋର୍ଟର ବର୍ଦ୍ଧିତ କାର୍ଯ୍ୟଭାର ଏବଂ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ନ୍ୟାୟିକ ଶକ୍ତି ବୃଦ୍ଧି ଦ୍ୱାରା ମାମଲାର ସମାଧାନରେ ଦକ୍ଷତା ବୃଦ୍ଧି ପାଇବା ଏବଂ ଶୁଣାଣିରେ ବିଳମ୍ବ ହ୍ରାସ ପାଇବା ଆଶା କରାଯାଉଛି।
ଭାରତର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏକ ଆଇନ ପ୍ରଥମେ ୧୯୫୬ ମସିହାରେ ପ୍ରଣୟନ କରାଯାଇଥିଲା । ସେବେ ଠାରୁ, ନ୍ୟାୟପାଳିକାର ବର୍ଦ୍ଧିତ ଚାହିଦା ଅନୁଯାୟୀ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟାକୁ ଅନେକ ଥର ସଂଶୋଧନ କରାଯାଇଛି । ଶେଷ ଥର ପାଇଁ ୨୦୧୯ ରେ ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରାଯାଇଥିଲା, ଯେତେବେଳେ ସଂସଦ ସୁପ୍ରିମକୋର୍ଟ ସଂଶୋଧନ ଆଇନ, ୨୦୧୯ ମାଧ୍ୟମରେ ଭାରତର ମୁଖ୍ୟ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି କରିବା ପାଇଁ ଆଇନ ସଂଶୋଧନ କରିଥିଲା । ସଦ୍ୟତମ ସଂଶୋଧନ ଅଧ୍ୟାଦେଶ ସହିତ, ସୁପ୍ରିମକୋର୍ଟର ମୋଟ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ଏବେ ୩୮କୁ ବୃଦ୍ଧି ପାଇବ, ଯେଉଁଥିରେ ଭାରତର ମୁଖ୍ୟ ବିଚାରପତି ମଧ୍ୟ ସାମିଲ ଅଛନ୍ତି ।