ନୂଆଦିଲ୍ଲୀ: ଇରାନ ଉପରେ ବଡ଼ ଆକ୍ରମଣ କରିବାକୁ ଯାଉଛି କି ଆମେରିକା?
ଡରାଇଲାଣି ଟ୍ରମ୍ପଙ୍କ କ୍ରିପ୍ଟିକ୍ ପୋଷ୍ଟ
‘ଝଡ଼ ପୂର୍ବର ଶାନ୍ତ ପରିବେଶ…’
ଆଜି ସକାଳୁ ସକାଳୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଏକ କ୍ରିପ୍ଟିକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, “ଝଡ଼ ପୂର୍ବର ଶାନ୍ତ”। ଯାହା ଏବେ କିଛି ବଡ଼ ଆକ୍ରମଣ ଆଶଙ୍କା ସୃଷ୍ଟି କରୁଛି। ଖାଲି ସେତିକି ନୁହେଁ, ଲେଖା ସହ ଟ୍ରମ୍ପ ଏକ AI- ପ୍ରସ୍ତୁତ ଫଟୋ ମଧ୍ୟ ସେୟାର କରିଛନ୍ତି। ଯାହା ଇରାନ ଏବଂ ହରମୁଜ୍ ପ୍ରଣାଳୀ ସଙ୍କଟ ଚାରିପାଖରେ ବଢ଼ୁଥିବା ଉତ୍ତେଜନାକୁ ସ୍ପଷ୍ଟ ଚିହ୍ନିତ କରୁଛି।
ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରାଯାଇଥିବା ଏହି ଫଟୋରେ ସେ ଜଣେ ନୌସେନା ଅଧିକାରୀଙ୍କ ସହିତ ଏକ ଆମେରିକୀୟ ନୌସେନା ଜାହାଜରେ “ମେକ୍ ଆମେରିକା ଗ୍ରେଟ୍ ଏଗେନ୍” କ୍ୟାପ୍ ପିନ୍ଧିଥିବାର ଦେଖାଯାଇଛି, ଯେଉଁଥିରେ ଝଡ଼ ସମୁଦ୍ର, ବିଜୁଳି ଏବଂ ଇରାନୀ ଜାହାଜ ପୃଷ୍ଠଭୂମିରେ ଦୃଶ୍ୟମାନ ହେଉଛି।
ଟ୍ରମ୍ପଙ୍କ ଏହି ପୋଷ୍ଟ ଏପରି ସମୟରେ ଆସିଛି, ଯେତେବେଳେ ମଧ୍ୟପ୍ରାଚ୍ୟ ଶତ୍ରୁତାରେ ଅସ୍ଥାୟୀ ବିରତି ପରେ ମଧ୍ୟ ଉତ୍ତେଜନା ଶୀର୍ଷରେ ରହିଛି। କେତେବେଳେ ବି ଏହା ପୁଣି ସମରରେ ପରିଣତ ହୋଇପାରେ। ଆଉ ଏବେ ସୁଦ୍ଧା ଇରାନ ସହ କୌଣସି ସ୍ଥାୟୀ ଚୁକ୍ତି ହୋଇନଥିବା ବେଳେ ଟ୍ରମ୍ପ ପ୍ରଶାସନ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ପୁନର୍ବାର ବିଚାର କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏଥିସହିତ ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ବି ଏକ ସାକ୍ଷାତକାର କହିସାରିଛନ୍ତି, “ମୁଁ ସେମାନଙ୍କ ପ୍ରତି ଅଧିକ ଧୈର୍ଯ୍ୟବାନ ହେବି ନାହିଁ, ଶୀଘ୍ର ଏକ ଚୁକ୍ତିରେ ପହଞ୍ଚିବାକୁ ପଡିବ”। ଯାହା ଏବେ ପୁଣି ଯୁଦ୍ଧ ଆଶଙ୍କାକୁ ଇନ୍ଧନ ଦେଇଛି।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଇରାନ ଉପରେ ଏବେ ଏକ ପ୍ରମୁଖ ନିଷ୍ପତ୍ତି ହେବ ବୋଲି ବେଜିଂରୁ ସିଦ୍ଧାନ୍ତ କରି ଫେରିଛନ୍ତି, ଇରାନ ପ୍ରତି ଟ୍ରମ୍ପଙ୍କ ଧୈର୍ଯ୍ୟ ସରି ସରି ଯାଉଛି, ଯଦି କୂଟନୈତିକ ପ୍ରୟାସ ବିଫଳ ହୁଏ ତେବେ ବରିଷ୍ଠ ସହାୟକମାନେ ନୂତନ ସାମରିକ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଆମେରିକୀୟ ଅଧିକାରୀ ଏବଂ ସହଯୋଗୀ ଦେଶମାନେ ଏକ ଆପୋଷ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି ଯାହା ଇରାନକୁ ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାକୁ ରାଜି କରାଇପାରେ, ଯଦି ନହୁଏ ତେବେ ଯୁଦ୍ଧ ପୁଣି ଆରମ୍ଭ ହୋଇପାରେ। ସେପଟେ ବେଜିଂରେ ଫେରିବା ବେଳେ ଇରାନର ପ୍ରସ୍ତାବକୁ ମଧ୍ୟ ଟ୍ରମ୍ପ ଖାରଜ କରିଥିବା କୁହାଯାଉଛି।
ପେଣ୍ଟାଗନ୍ “ଅପରେସନ୍ ଏପିକ୍ ଫ୍ୟୁରି” ର ସମ୍ଭାବ୍ୟ ପୁନଃଆରମ୍ଭ ପାଇଁ ଆକସ୍ମିକ ଯୋଜନା ପ୍ରସ୍ତୁତ କରିଛି, ଯାହା ଗତ ମାସରେ ଟ୍ରମ୍ପ୍ ଯୁଦ୍ଧବିରତି ଘୋଷଣା କରିବା ପରେ ବନ୍ଦ କରିଦିଆଯାଇଥିଲା। ଆଉ ଏଥର ଏକ ନୂଆ ନାଁରେ ଇରାନ ଉପରେ ପୁଣି ଆଉ ଏକ ସାମରିକ କାର୍ଯ୍ୟନୁଷ୍ଠାନ ଯୋଜନା ଚାଲିଛି। ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ପ୍ରଶାସନ ଦ୍ୱାରା ବିଚାର କରାଯାଉଥିବା ସମ୍ଭାବ୍ୟ ବିକଳ୍ପଗୁଡ଼ିକରେ ଇରାନର ସାମରିକ ଏବଂ ଭିତ୍ତିଭୂମି ସ୍ଥାନଗୁଡ଼ିକୁ ଟାର୍ଗେଟ କରି ବିସ୍ତାରିତ ବୋମା ମାଡ଼ ଅଭିଯାନ ଅନ୍ତର୍ଭୁକ୍ତ। ବିଚାରାଧୀନ ଅନ୍ୟ ଏକ ବିକଳ୍ପ ହେଉଛି ଇରାନର ଇସଫାହାନ୍ ପରମାଣୁ ପ୍ରତିଷ୍ଠାନରେ ଗଭୀର ଭାବରେ ପୋତା ଯାଇଥିବା ପରମାଣୁ ସାମଗ୍ରୀକୁ ଟାର୍ଗେଟ କରିବା ପାଇଁ ସ୍ୱତନ୍ତ୍ର ଅପରେସନ୍ ବାହିନୀ ନିୟୋଜନ କରିବା। ରିପୋର୍ଟରେ କୁହାଯାଇଛି ଯେ ସେହି ସାମରିକ ବିକଳ୍ପକୁ ସଂରକ୍ଷଣ କରିବା ପାଇଁ ଏହି ବର୍ଷ ଆରମ୍ଭରେ ଅନେକ ଶହ ସ୍ୱତନ୍ତ୍ର ଅପରେସନ୍ ସୈନ୍ୟଙ୍କୁ ମଧ୍ୟପ୍ରାଚ୍ୟକୁ ସ୍ଥାନାନ୍ତର କରାଯାଇଛି। ଆଉ ଯଦି ଏହା ଯୁଦ୍ଧରେ ପରିଣତ ହୁଏ ତେବେ ଏହା ବଡ଼ ବିପଦ ସୃଷ୍ଟି କରିବ।
ସେପଟେ ଇରାନୀ ଅଧିକାରୀମାନେ ସାର୍ବଜନୀନ ଭାବରେ ଚେତାବନୀ ଦେଇଛନ୍ତି ଯେ ତେହେରାନ ନୂତନ ସଂଘର୍ଷ ପାଇଁ ପ୍ରସ୍ତୁତ। “ଆମର ସଶସ୍ତ୍ର ବାହିନୀ ଯେକୌଣସି ଆକ୍ରମଣର ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ,” ବୋଲି ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।