Latest Odisha News

BREAKING NEWS

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର: ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ବନ୍ଧୁକ ଓ ଗୁଳି ଜବତ

ସମ୍ବଲପୁର: ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଭାବେ ଆହତ ହୋଇଛି। ଆହତ ଅପରାଧୀ ଜଣକ ହେଉଛି ମହମ୍ମଦ ସାହିଲ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସାହିଲ କୌଣସି ଏକ ବଡ଼ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ସମ୍ବଲପୁର ଅଞ୍ଚଳରେ ବୁଲୁଥିଲା। ଏନେଇ ପୋଲିସ ପାଖରେ ପୂର୍ବରୁ ସୂଚନା ଥିଲା। ସମ୍ବଲପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅପରାଧୀକୁ ଧରିବା ପାଇଁ ଜାଲ ବିଛାଇଥିଲା ଏବଂ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା।

 

ତେବେ ପୋଲିସକୁ ଦେଖି ସାହିଲ ଖସିଯିବାକୁ ଚେଷ୍ଟା କରିବା ସହ ପୋଲିସ ଟିମ୍ ଉପରକୁ ଅତର୍କିତ ଗୁଳି ଚଳାଇଥିଲା। ପୋଲିସ ନିଜର ଆତ୍ମରକ୍ଷା ପାଇଁ ଜବାବୀ ଗୁଳିଚାଳନା କରିଥିଲା। ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ସାହିଲର ବାମ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ସେଠାରେ ଟଳି ପଡ଼ିଥିଲା।

 

ଗୁଳି ବାଜିବା ପରେ ପୋଲିସ ତୁରନ୍ତ ସାହିଲକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

 

ଘଟଣାସ୍ଥଳରୁ ପୋଲିସ ଏକ ପିସ୍ତଲ, କିଛି ଜୀବନ୍ତ ଗୁଳି ଏବଂ ଅପରାଧରେ ବ୍ୟବହୃତ ହେଉଥିବା ମୋଟରସାଇକେଲ ଜବତ କରିଛି।

 

ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମହମ୍ମଦ ସାହିଲ ଜଣେ ପେଶାଦାର ଓ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ପୂର୍ବରୁ ସମ୍ବଲପୁର ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଏବଂ ଆର୍ମସ ଆକ୍ଟ ଭଳି ଅନେକ ସଙ୍ଗିନ ମାମଲା ରହିଛି।

Leave A Reply

Your email address will not be published.