“ମୋର ନୀରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ, ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି”: ମହମ୍ମଦ ୟୁନୁସଙ୍କୁ ଶେଖ୍ ହାସିନାଙ୍କ ଖୋଲା ଚେତାବନୀ
ନୂଆଦିଲ୍ଲୀ: “ମୋର ନୀରବତାକୁ ମୋର ଦୁର୍ବଳତା ବୋଲି ଭାବିବାର ଭୁଲ୍ କରନ୍ତୁ ନାହିଁ। ମୁଁ ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି।” ଦୀର୍ଘ ଦିନର ନୀରବତା ପରେ ନିର୍ବାସନରେ ଥାଇ ଏହିଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ଗତ ଅଗଷ୍ଟ ମାସରେ ଗାଦିଚ୍ୟୁତ ହୋଇ ଭାରତରେ ଆଶ୍ରୟ ନେଇଥିବା ହାସିନା, ଏବେ ହଠାତ୍ ଆକ୍ସନ ମୋଡ୍କୁ ଆସିବା ସହ ବାଂଲାଦେଶର ଅନ୍ତରୀଣ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି।
ତାଙ୍କର ଏହି ଗୋଟିଏ ବୟାନ ଏବେ ଢାକା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଜଣେ ବରିଷ୍ଠ ନେତ୍ରୀ ଭାବେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ରାଜନୀତିରୁ ସନ୍ନ୍ୟାସ ନେଇନାହାନ୍ତି ଏବଂ ତାଙ୍କ ଦଳ ‘ଆୱାମୀ ଲିଗ୍’ ବିନା ବାଂଲାଦେଶରେ ଗଣତନ୍ତ୍ରର କଳ୍ପନା କରିବା ସମ୍ପୂର୍ଣ୍ଣ ଅସମ୍ଭବ।
ଏକ ଶକ୍ତିଶାଳୀ ବାର୍ତ୍ତାରେ ହାସିନା ବର୍ତ୍ତମାନର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ୟୁନୁସଙ୍କୁ ଏକ “ବୋକା ଏବଂ ଆତ୍ମଘାତୀ ଦୁର୍ବଳ ରାଜା” ବୋଲି ସମ୍ବୋଧନ କରି ସେ ଅଭିଯୋଗ କରିଛନ୍ତି ଯେ, ଏହି ସରକାର କେବଳ କିଛି କଟ୍ଟରପନ୍ଥୀ ଏବଂ ଉଗ୍ରବାଦୀ ଗୋଷ୍ଠୀଙ୍କ ଆଗରେ ମୁଣ୍ଡ ନୁଆଁଇ କାମ କରୁଛି। ହାସିନାଙ୍କ କହିବା ଅନୁଯାୟୀ, ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ନିଜର ସବୁଠାରୁ ବଡ଼ ପଡ଼ୋଶୀ ଏବଂ ବନ୍ଧୁ ରାଷ୍ଟ୍ର ଭାରତ ସହିତ ସମ୍ପର୍କ ଖରାପ କରିସାରିଲାଣି ଏବଂ ଆନ୍ତର୍ଜାତୀୟ ସ୍ତରରେ ଦେଶ ଏକଘରକିଆ ହେବାକୁ ବସିଲାଣି।
ଭାରତର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ହାସିନା କହିଛନ୍ତି ଯେ, ଯେଉଁଦିନ ବାଂଲାଦେଶରେ ପ୍ରକୃତ ଗଣତନ୍ତ୍ର ପୁନଃପ୍ରତିଷ୍ଠା ହେବ ଏବଂ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନରେ ଆୱାମୀ ଲିଗ୍କୁ ଲଢ଼ିବାକୁ ଅନୁମତି ମିଳିବ, ସେହିଦିନ ହିଁ ସେ ଦେଶକୁ ଫେରିବେ। ବର୍ତ୍ତମାନ ବାଂଲାଦେଶରେ ସଂଖ୍ୟାଲଘୁ ଏବଂ ମହିଳାମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ଏହି ଦମନକାରୀ ସରକାର ବିରୋଧରେ ଏକାଠି ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ସେ ଦେଶକୁ ପୁନର୍ଗଠନ କରିବା ପାଇଁ ଏକ ପାଞ୍ଚ ଦଫା ସମ୍ବଳିତ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି।
ବାଂଲାଦେଶରେ ତାଙ୍କ ବିରୋଧରେ ଚାଲିଥିବା ଟ୍ରିବ୍ୟୁନାଲ୍କୁ ହାସିନା ଏକ ‘କଙ୍ଗାରୁ କୋର୍ଟ’ ବା ପ୍ରହସନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ନିକଟରେ ତାଙ୍କ ବିରୋଧରେ ଗିରଫ ପରୱାନା ଏବଂ ମୃତ୍ୟୁଦଣ୍ଡ ଭଳି ଦାବି ଉଠୁଥିବା ବେଳେ ହାସିନା ଓଲଟା ୟୁନୁସଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। “ଯଦି ସାହସ ଅଛି, ତେବେ ମୋ ବିରୋଧରେ ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟରେ ମାମଲା ଚଲାନ୍ତୁ,” ବୋଲି ସେ ରୋକଠୋକ୍ ଶୁଣାଇ ଦେଇଛନ୍ତି।
ରାଜନୈତିକ ସମୀକ୍ଷକମାନେ ମାନୁଛନ୍ତି ଯେ, ଶେଖ୍ ହାସିନାଙ୍କ ଏହି ଆକ୍ରମଣାତ୍ମକ ବୟାନ ବାଂଲାଦେଶର ବର୍ତ୍ତମାନର ଅସ୍ଥିର ରାଜନୀତିରେ ଘିଅ ଢାଳିବା ଭଳି କାମ କରିବ। ଗୋଟିଏ ପଟେ ୟୁନୁସ ସରକାର ଦେଶ ଭିତରେ ଆଇନଶୃଙ୍ଖଳା ସମ୍ଭାଳିବାରେ ସଂଘର୍ଷ କରୁଥିବା ବେଳେ, ବାହାରୁ ହାସିନାଙ୍କ ଏହି ‘କମ୍ବ୍ୟାକ୍’ ଚେତାବନୀ ସେମାନଙ୍କର ନିଦ ହଜାଇ ଦେଇଛି।