Latest Odisha News

BREAKING NEWS

ରାଜଧାନୀ ଛାତି ଉପରେ ହରିୟାଣା ବାଉନ୍ସରଙ୍କ ଦାଦାଗିରି, ନାଛିଦେଲା ସହିଦନଗର ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବାହାର ରାଜ୍ୟର ବାହୁବଳୀଙ୍କ ରାଜୁତି। ସହରର ଛାତି ଉପରେ ଦିନଦ୍ୱିପହରରେ ଦେଖିବାକୁ ମିଳିଛି ଫିଲ୍ମ ଷ୍ଟାଇଲ୍ ଆତଙ୍କରାଜ। ସହିଦନଗର ଥାନା ଅନ୍ତର୍ଗତ ରୂପାଲି ଛକ ନିକଟରେ ଥିବା ଅଲ୍ ଟାଇମ୍ ଫିଟନେସ୍ ଜିମ୍ ଭିତରେ ପଶି କିଛି ହରିୟାଣା ବାଉନ୍ସର ଯେଭଳି ଭାବେ ଅଭାବନୀୟ କାଣ୍ଡ ଘଟାଇଛନ୍ତି, ତାହା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ତେବେ ପୋଲିସର ତୁରନ୍ତ ହସ୍ତକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।

ଘଟଣାଟି ଥିଲା ଅତି ଭୟଙ୍କର। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, କୌଣସି ଏକ ବିବାଦକୁ କେନ୍ଦ୍ର କରି ହଠାତ୍ ଦଳେ ବାଉନ୍ସର ଜିମ୍ ଭିତରକୁ ଧସେଇ ପଶିଥିଲେ। ସେଠାରେ ଉପସ୍ଥିତ ଥିବା ଜିମ୍ ଟ୍ରେନରଙ୍କ ଉପରେ ସେମାନେ ଅତର୍କିତ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ, ଟ୍ରେନରଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କୁ ସେଠାରୁ ବଳପୂର୍ବକ ଅପହରଣ କରିନେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଆଖି ପିଛୁଳାକେ ଜିମ୍ ପରିସର ଏକ ରଣକ୍ଷେତ୍ରରେ ପରିଣତ ହୋଇଥିଲା ଏବଂ ସେଠାରେ ଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ।

ତେବେ ଖବର ପାଇବା ମାତ୍ରେ ସହିଦନଗର ଥାନା ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦୁର୍ବୃତ୍ତଙ୍କ ସବୁ ଯୋଜନାକୁ ପଣ୍ଡ କରିଦେଇଥିଲା। ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ପୋଲିସ ସମସ୍ତ ବାଉନ୍ସରଙ୍କୁ ଘେରିଯାଇ କାବୁ କରିନେଇଥିଲା। ଆଇନକୁ ନିଜ ହାତକୁ ନେବା ଏହି ମସଲ୍-ମ୍ୟାନ୍ ମାନଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ପୋଲିସ ଘଟଣାସ୍ଥଳରୁ ମୋଟ ୧୦ ଜଣ ବାଉନ୍ସରଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବାଉନ୍ସରଙ୍କ ମଧ୍ୟରେ ୩ ଜଣ ହରିୟାଣାର ରହିଥିବା ଜଣାପଡ଼ିଛି।

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ରାଜଧାନୀରେ ଏଭଳି ବାହାର ରାଜ୍ୟର ବାଉନ୍ସରଙ୍କୁ କିଏ ଏବଂ କାହିଁକି ନିୟୋଜିତ କରିଥିଲା? ଜିମ୍ ଟ୍ରେନରଙ୍କ ସହ ସେମାନଙ୍କର ପ୍ରକୃତ ଶତ୍ରୁତା କ’ଣ ଥିଲା କିମ୍ବା ଏହା ପଛରେ କୌଣସି ବ୍ୟବସାୟିକ ଆକ୍ରୋଶ ରହିଛି କି? ସହିଦନଗର ଥାନା ପୋଲିସ ଏବେ ଅଟକ ଥିବା ବାଉନ୍ସରମାନଙ୍କୁ କଡ଼ା ଜେରା କରୁଛି ଏବଂ ସିସିଟିଭି ଫୁଟେଜ୍ ଆଧାରରେ ପୂରା ଘଟଣାର ଖୋଳତାଡ଼ ଜାରି ରଖିଛି।

Leave A Reply

Your email address will not be published.