ଭୁବନେଶ୍ୱର: ଓଡ଼ିଶାର ବନ୍ଦ ହୋଇଥିବା ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ (SRMCH)ରୁ ଅନ୍ୟ ଘରୋଇ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା। ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସେମାନେ ସରକାରୀ ମେଡିକାଲ କଲେଜ୍ର ରିହାତି ଫିସ୍ ଦେଇ ପାଠ ପଢ଼ିବାର ଦାବି କରିପାରିବେ ନାହିଁ । ଏହି ଛାତ୍ରଛାତ୍ରୀଙ୍କ ଠାରୁ ଏସ୍ଆରଏମ୍ସିଏଚ୍ ଧାର୍ଯ୍ୟ କରିଥିବା ଫି ଅନୁସାରେ ବକେୟା ଅର୍ଥ ଆଦାୟ କରାଯାଇ ପାରିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ SRMCH ରେ ପ୍ରଯୁଜ୍ୟ ଫି ହାର ଅନୁଯାୟୀ ବକେୟା ରାଶି ଏପରି ଛାତ୍ରମାନଙ୍କଠାରୁ ଆଦାୟ କରାଯାଇପାରିବ।
ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ SRMCH ପରିଚାଳିତ ସେଲଭମ୍ ଏଜୁକେସନାଲ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ସଂରକ୍ଷିତ ପ୍ରାୟ ୧୪ କୋଟି ଟଙ୍କାକୁ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥିବା ୩ଟି ଘରୋଇ ମେଡିକାଲ କଲେଜକୁ ପ୍ରଦାନ କରାଯାଉ। ଏହି ଅର୍ଥ ମଧ୍ୟରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ/ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) ପାଖରେ ଜମା ରହିଥିବା ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି, ସୁପ୍ରିମକୋର୍ଟରେ ଜମା ରହିଥିବା ୨ କୋଟି ଏବଂ ତାର ସୁଧ ସାମିଲ ଅଛି । ଏଥିସହ ସେମାନଙ୍କର ପ୍ରକୃତ ଫି କେତେ ଓ ଆଉ କେତେ ଟଙ୍କା ସେମାନଙ୍କୁ ଦେବାକୁ ପଡିବ ସେହି ବିଷୟରେ ସବିଶେଷ ତଥ୍ୟ ଏନ୍ଏମ୍ସିକୁ ଜଣାଇବା ଲାଗି ଖଣ୍ଡପୀଠ ଘରୋଇ ମେଡିକାଲ କଲେଜକୁ କହିଛନ୍ତି ।
ସେହିଭଳି ଏହି ଅର୍ଥ କିଭଳି ଆଦାୟ କରାଯିବ ଓ ଘରୋଇ ମେଡିକାଲ କଲେଜକୁ ଭରଣା କରାଯିବ ତାର ସମାଧାନ ବାଟ ଏନ୍ଏମ୍ସି ବାହାର କରିବ। ଫି ସମସ୍ୟାର ସମାଧାନ ହେବା ପରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ଚୂଡାନ୍ତ ପ୍ରମାଣପତ୍ର ମିଳିପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଛାତ୍ରଛାତ୍ରୀ ସରକାରୀ ସବ୍ସିଡି ଆଧାରରେ ସେହି ଘରୋଇ ମେଡିକାଲ କଲେଜରେ ପଢ଼ିବା ଲାଗି ଦର୍ଶାଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଛାତ୍ରଛାତ୍ରୀ ପରିସ୍ଥିତି ପାଇଁ ଯଦିଓ ଦାୟୀ ନୁହନ୍ତି, କିନ୍ତୁ ସେମାନେ ମୂଳରୁ ଏକ ଘରୋଇ ମେଡିକାଲ କଲେଜରେ ପ୍ରବେଶ କରିଥିଲେ । ଯେଉଁଠାରେ ଫି ଢ଼ାଞ୍ଚା ସରକାରୀ ମେଡିକାଲ କଲେଜ ଠାରୁ ବହୁ ଅଧିକ ଥିଲା ।
ସମ୍ପୂର୍ଣ୍ଣ ମାମଲା କଣ?
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରତିଷ୍ଠା କରାଯାଇଥିବା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍ଆରଏମ୍ସଏଚ୍)ରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଯାଞ୍ଚ କରିବା ପରେ ସେଠାରେ ଭିତ୍ତିଭୂମି, ଫାକଲ୍ଟି ଓ ନିୟମ କାନୁନରେ ବ୍ୟାପକ ତ୍ରୁଟି ନଜରକୁ ଆସିଥିଲା । ଏହା ପରେ କଲେଜର ମାନ୍ୟତାକୁ ରଦ୍ଦ କରିଦିଆଯାଇଥିଲା । ସେଠାରେ ପଢ଼ୁଥିବା ୨୦୧୩-୧୪ ଓ ୨୦୧୪-୧୫ ବ୍ୟାଚ୍ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍କଟରେ ପଡିଥିଲା । ହାଇକୋର୍ଟ ମ୍ୟାନେଜମେଣ୍ଟ କୋଟାରେ ସରକାରୀ ମେଡିକାଲ କଲେଜରେ ସେମାନଙ୍କୁ ଭର୍ତ୍ତି କରାଇବାକୁ କହିଥିଲେ । କିନ୍ତୁ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।
ଛାତ୍ରଛାତ୍ରୀଙ୍କର ଗୋଟିଏ ଶିକ୍ଷାବର୍ଷ ଯେଭଳି ନଷ୍ଟ ନହେବ ସେଥିପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ କାଉନସେଲିଂ ପ୍ରକ୍ରିୟାରେ ସେମାନଙ୍କୁ ଆଇଏମ୍ଏସ୍-ସମ୍ ହସ୍ପିଟାଲ, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (କିମ୍ସ) ଏବଂ ହାଇଟେକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ୧୨୨ ଜଣ ଛାତ୍ରଛାତ୍ରୀ ଉପରୋକ୍ତ ୩ ମେଡିକାଲ କଲେଜରେ ପଢ଼ିଥିଲେ । ପାଠପଢ଼ା ଭିତରେ ସେମାନେ କୋର୍ଟଙ୍କ ଅନ୍ତରୀଣ ସୁରକ୍ଷା ଆଧାରରେ ସରକାରୀ ଫି ହିସାବରେ ବାର୍ଷିକ ପ୍ରାୟ ୩୦ ହଜାର ଟଙ୍କା ଲେଖାଏ ଦେଇଥିଲେ । ତେବେ ପାଠପଢ଼ା ଶେଷ ହେବା ପରେ ଘରୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ପୂର୍ଣ୍ଣ ଫି ଓ ଦେଇଥିବା ଷ୍ଟାଇପେଣ୍ଡ ବାବଦ ଅର୍ଥ ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିଲେ ।