Latest Odisha News

BREAKING NEWS

ପୁଷ୍ପା ଝୁକ୍ ଗୟା? ନିର୍ବାଚନ ପୂର୍ବରୁ ମୈଦାନ ଛାଡ଼ିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକାତା: ଡରିଗଲେ କି ଟିଏମସି “ପୁଷ୍ପା”? ପଶ୍ଚିମବଙ୍ଗର ଫଲଟା ଆସନରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତଥାକଥିତ “ପୁଷ୍ପା” ତଥା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ। କାରଣ ନିର୍ବାଚନ ପୂର୍ବରୁ ମୈଦାନ ଛାଡ଼ିବାକୁ ଘୋଷଣା କରିଛନ୍ତି ଜାହାଙ୍ଗୀର ଖାନ। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚାଲିଛି ଜୋରଦାର ଚର୍ଚ୍ଚା। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ସହଯୋଗୀ ଜାହାଙ୍ଗୀର ଖାନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ।

ଦକ୍ଷିଣ ୨୪ ପରଗଣା ଜିଲ୍ଲାର ଫଲଟା ବିଧାନସଭା ଆସନ ପାଇଁ ମେ ୨୧ ରେ ହେବାକୁ ଥିବା ପୁନଃ-ମତଦାନ (Re-poll)ର ଠିକ୍ ଦିନକ ପୂର୍ବରୁ ମଙ୍ଗଳବାର ତୃଣମୂଳ କଂଗ୍ରେସ (TMC) ର ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମୈଦାନରୁ ଓହରି ଯାଇଛନ୍ତି। ସୋମବାର କୋଲକାତା ହାଇକୋର୍ଟଙ୍କ ତରଫରୁ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫଲଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ଏହାପରେ ଭାରତୀୟ ନିର୍ବାଚନ କମିଶନ (ECI) ଏହି ଆସନର ସମସ୍ତ ୨୮୫ଟି ବୁଥରେ ମେ ୨୧ ତାରିଖରେ ନୂଆ ଭାବେ ପୁନଃ-ମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଫଲଟା ଫଳାଫଳ ସ୍ଥଗିତ ରଖାଯାଇଥିଲା।

ଜାହାଙ୍ଗୀର ଖାନଙ୍କ ବିରୋଧରେ ନିର୍ବାଚନ ସମୟରେ ଏକାଧିକ ଅପରାଧିକ ମାମଲା ଏବଂ ଏଫ୍ଆଇଆର୍ (FIR) ରୁଜୁ କରାଯାଇଥିଲା। ପୁନଃ-ମତଦାନ ପୂର୍ବରୁ ନିଜର ଗିରଫଦାରୀକୁ ଏଡ଼ାଇବା ପାଇଁ ସେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଜାହାଙ୍ଗିରଙ୍କ ବିରୁଦ୍ଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ବା ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଇନଗତ ସୁରକ୍ଷା ମିଳିବା ସତ୍ତ୍ୱେ ଜାହାଙ୍ଗୀର ଖାନ ନିର୍ବାଚନ ଦୌଡ଼ରୁ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ସ୍ଥାନୀୟ ଅଞ୍ଚଳରେ ବିଜେପିର ଦେଖାଦେଇଥିବା ପ୍ରଭାବ ଏବଂ ଜାହାଙ୍ଗିରଙ୍କ ସମର୍ଥକମାନଙ୍କ ବିରୋଧରେ ହେଉଥିବା ପୋଲିସ କାର୍ଯ୍ୟାନୁଷ୍ଠାନ କାରଣରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଆସନରେ ଆସନ୍ତା ମେ ୨୪ ତାରିଖରେ ଭୋଟ ଗଣତି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ତେବେ ମତଦାନର ଠିକ୍ ପୂର୍ବରୁ ଟିଏମସି ପ୍ରାର୍ଥୀଙ୍କ ଏଭଳି ପଛଘୁଞ୍ଚା ବିଜେପି ପାଇଁ ଏହି ଆସନରେ ବିଜୟ ପଥ ଅତି ସହଜ କରିଦେଇଛି।

ଅଭିଷେକ ବାନାର୍ଜୀ ସାଂସଦ ଥିବା ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନମଣ୍ଡଳୀର ଅଂଶ ହେଉଛି ଫଲଟା ବିଧାନସଭା ଆସନ। ୨୧ ତାରିଖରେ ପୁନଃ ନିର୍ବାଚନ ଥିବା ବେଳେ ପ୍ରଚାର ପାଇଁ କୌଣସି ପ୍ରମୁଖ ତୃଣମୂଳ କଂଗ୍ରେସ ନେତା ଆସୁ ନାହାନ୍ତି କି ନିଜେ ପ୍ରାର୍ଥୀ ଜାହାଙ୍ଗିର ଖାନଙ୍କର ଦେଖା ନାହିଁ। ଏନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ ଭଟ୍ଟାଚାର୍ଯ୍ୟ ଅଭିଷେକ ବାନାର୍ଜୀଙ୍କ ଅନୁପସ୍ଥିତି ନେଇ ବ୍ୟଙ୍ଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଜାହାଙ୍ଗିରଙ୍କୁ କମେଣ୍ଟ କରି ପୁଷ୍ପା କୁଆଡ଼େ ଗଲେ ବୋଲି କଟାକ୍ଷା କରିଥିଲେ। ବିଜେପି ନେତା ତଥା କେନ୍ଦ୍ର ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର ଜାହାଙ୍ଗୀର ଖାନଙ୍କ ଫଲଟା ନିର୍ବାଚନମଣ୍ଡଳୀରୁ ପ୍ରତ୍ୟାହାର ଉପରେ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଅନେକ ଲୋକ “ପୁଷ୍ପା” ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ଏଥର “ପୁଷ୍ପା” ଏକ “ଫୁସ” (ଫ୍ଲପ୍) ହୋଇଗଲେ। ତେଣୁ, ଏହି ସମସ୍ତ “ପୁଷ୍ପା” ଏବଂ ସେମାନଙ୍କର ମାଲିକମାନେ ଡାଇମଣ୍ଡ ହାର୍ବରରେ ଫଟୋ ଉଠାଇ କହୁଥିଲେ, “AB ମୁଣ୍ଡ ନୁଆଁଇବେ ନାହିଁ।” ଏବେ ସମସ୍ତେ ମୁଣ୍ଡ ନୁଆଁଇଛନ୍ତି। ଏବିଙ୍କ ଏଜେଣ୍ଟ ମୁଣ୍ଡ ନୁଆଁଇଛନ୍ତି। ଭବିଷ୍ୟତରେ ମଧ୍ୟ AB ମୁଣ୍ଡ ନୁଆଁଇବେ। ଚିନ୍ତା କରନ୍ତୁ ନାହିଁ।

ନିର୍ବାଚନ ପୂର୍ବରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ଜାହାଙ୍ଗୀର ଖାନ ଏକ ଚ୍ୟାଲେଞ୍ଜ ଦେଇଥିଲେ। ଏନକାଉଣ୍ଟର ବିଶେଷଜ୍ଞ ଭାବରେ ଜଣାଶୁଣା ଶ୍ରୀ ଶର୍ମାଙ୍କୁ “ସିଙ୍ଘମ ବୋଲି କୁହାଯାଉଥିଲା। ସେ ନିର୍ବାଚନ ପୂର୍ବରୁ ଶର୍ମା ଜାହାଙ୍ଗିର ଖାନଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ନିର୍ବାଚନ ଦିନ ଭୋଟରମାନଙ୍କୁ ଭୟଭୀତ କରିବା ବିରୁଦ୍ଧରେ ଚେତାବନୀ ଦେବା ପରେ ଜାହାଙ୍ଗିର ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ “ଯଦି ସେ ସିଂଘମ, ତେବେ ମୁଁ ପୁଷ୍ପା।” ଯାହାକୁ ନେଇ ବର୍ତ୍ତମାନ ବିଜେପି ଜାହାଙ୍ଗିରକୁ କଟାକ୍ଷ କରୁଛି।

Leave A Reply

Your email address will not be published.