ନୂଆଦିଲ୍ଲୀ: ୫ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି UAE, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚିଛନ୍ତି। ରୋମରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା, ଏବଂ ସେଠାରୁ ତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ରୋମରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ତାଙ୍କ ଘନିଷ୍ଠ ବନ୍ଧୁ। ସୋସିଆଲ ମିଡିଆରେ ଦୁଇଜଣଙ୍କ ଏକ ସେଲ୍ଫି ଭାଇରାଲ ହେଉଛି। ପୂର୍ବରୁ, ସେଲ୍ଫି ଭିଡିଓ ସେୟାର କରି ଦୁଇଜଣ ଶିରୋନାମାରେ ସ୍ଥାନ ପାଇଥିଲେ। ପୁଣିଥରେ ସେମାନଙ୍କର ସେଲ୍ଫି-ପ୍ରିୟ ଶୈଳୀକୁ ବେଶ୍ ପସନ୍ଦ କରିଛନ୍ତି ୟୁଜର୍ସ ।
ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରି ଏକ ସେଲ୍ଫି ନେଇଥିଲେ। ସେ ଏହି ସେଲ୍ଫିକୁ ତାଙ୍କ ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍ କରିଛନ୍ତି। ସେ ଏହାର କ୍ୟାପସନ ଦେଇଛନ୍ତି, “ରୋମକୁ ସ୍ୱାଗତ, ମୋର ବନ୍ଧୁ!” ଏହି ଫଟୋ ଏବେ ଅନଲାଇନରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଇଟାଲୀକୁ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ନିମନ୍ତ୍ରଣରେ ପହଞ୍ଚିଥିଲେ ଏବଂ ବୁଧବାର ରାତିରେ ସେଠାରୁ ଭାରତ ଫେରିବେ।
ତେବେ ପ୍ରାୟତଃ ଦେଖାଯାଏ, କୌଣସି ରାଷ୍ଟ୍ରର ପ୍ରତିପକ୍ଷ ପରସ୍ପରକୁ ଭେଟିଲା ବେଳେ ପାରମ୍ପରିକ ଢଙ୍ଗରେ ଫଟୋ ଉଠାଇଥାନ୍ତି । କେବେ ଆଲିଙ୍ଗନ କରି, କିମ୍ବା ହାତ ମିଳାଇ, କିନ୍ତୁ ପ୍ରଥମ ଥର ପାଇଁ ୨୦୨୩ ରେ ଦୁବାଇରେ COP28 ଶିଖର ସମ୍ମିଳନୀ ସମୟରେ ମୋଦି ଏବଂ ମେଲୋନିଙ୍କ ଏକ ସେଲଫି ଭାଇରାଲ ହୋଇଥିଲା। ନିଜ ଫୋନରେ ମୋଦିଙ୍କ ସହ ସେଲଫି ନେଇ ସେୟାର କରି ମେଲୋନି ଲେଖିଥିଲେ, “COP28ରେ ଭଲ ବନ୍ଧୁ”, ଯାହା ବେଶ୍ ଭାଇରାଲ ହୋଇଥିଲା। ଏହା ପରେ, ୨୦୨୪ ମସିହାରେ ଇଟାଲୀର ଆପୁଲିଆରେ G7 ଶିଖର ସମ୍ମିଳନୀ ସମୟରେ, “ନମସ୍କାର ଟିମ୍ ମେଲୋନି” ର ଏକ ଭିଡିଓ ଶିରୋନାମା ପାଲଟିଥିଲା। ବର୍ତ୍ତମାନ, ଇଟାଲୀରେ ପହଞ୍ଚିବା ପରେ, ମୋଦି ଏବଂ ମେଲୋନିଙ୍କ ଆଉ ଏକ ସେଲଫି ସାମ୍ନାକୁ ଆସିଛି, ଯାହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭବ୍ୟ ସ୍ୱାଗତ ସମୟରେ କଏଦ ହୋଇଥିଲା।
ତେବେ କହିରଖୁଛୁ, ଏକ ଦିବସୀୟ ଗସ୍ତ ସମୟରେ, ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ବାଣିଜ୍ୟ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱ ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ଗସ୍ତ ୟୁରୋପରେ ଭାରତର ରଣନୈତିକ ଉପସ୍ଥିତିକୁ ମଜବୁତ କରିପାରେ। ଇଟାଲୀ ସହିତ ଭାରତର ଆର୍ଥିକ ସହଭାଗୀତା ନୂତନ ଗତି ପାଇବାର ଆଶା କରାଯାଉଛି। ଭାରତ-ଇଟାଲୀ ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଭାରତ ଏବଂ ଇଟାଲୀ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ଆଶା କରାଯାଉଛି, କାରଣ ଏହି ଗସ୍ତରେ ଅନେକ ବ୍ୟବସାୟୀ ତାଙ୍କ ସହିତ ଅଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଆଜି ଇଟାଲୀରେ ଉଭୟ ଦେଶର ପ୍ରମୁଖ ଶିଳ୍ପପତି (ସିଇଓ)ଙ୍କ ସହ ଆଲୋଚନା କରିବେ। ସେ ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରି ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO)ର ମୁଖ୍ୟାଳୟ ମଧ୍ୟ ପରିଦର୍ଶନ କରିବେ। ୨୦୨୩ ପରଠାରୁ ଏହା ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ୮ମ ସାକ୍ଷାତ, ଯାହା ଭାରତ-ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବାର ପ୍ରତୀକ। ୨୦୨୩ ମାର୍ଚ୍ଚରେ ମେଲୋନିଙ୍କ ଭାରତ ଗସ୍ତ ସମୟରେ ଏବଂ ତା’ପରେ G-20 ଶିଖର ସମ୍ମିଳନୀରେ ଏହି ବନ୍ଧୁତା ଏକ ଦୃଢ଼ ମୂଳଦୁଆ ସ୍ଥାପନ କରାଯାଇଥିଲା।