ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ଚେନ୍ନାଇ ସୁପର କିଙ୍ଗସ ତାର ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିଛି । ଏହି ମ୍ୟାଚରେ ମଧ୍ୟ ଦଳର ଷ୍ଟାର ଖେଳାଳି ଏମଏସ ଧୋନୀ ଚୂଡାନ୍ତ ଦଳରେ ସ୍ଥାନ ପାଇ ନାହାନ୍ତି । ୧୮ ବର୍ଷ ଆଇପିଏଲ କ୍ୟାରିୟରରେ ପ୍ରଥମ ଥର ପାଇଁ ଧୋନୀ ଆଇପିଏଲର ଗୋଟିଏ ସିଜନରେ ଦଳ ସହିତ ଥିଲେ ମଧ୍ୟ ଖେଳି ପାରି ନାହାନ୍ତି । ସିଜନ ଆରମ୍ଭରୁ ଧୋନୀ ଆଘାତ ସମସ୍ୟାରେ ପଡିଥିଲେ । ଟିମ ମ୍ୟାନେଜମେଂଟ, ସାଥୀ ଖେଳାଳି ଓ ପ୍ରଶଂସକମାନେ ସେ ଖେଳିବେ ବୋଲି ଶେଷ ପର୍ଯ୍ୟନ୍ତ ଆଶା ରଖିଥିଲେ ମଧ୍ୟ ଏହା ପୂରଣ ହୋଇପାରିନି ।
ଧୋନୀ ଆଇପିଏଲର ପ୍ରତ୍ୟେକ ସିଜନରେ ୧୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୨୭୮ ମ୍ୟାଚ ଖେଳିଛନ୍ତି । ଧୋନୀ ୫୪୩୯ ରନ କରିଥିବା ବେଳେ ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଟାଇଟାଲ୍ସ ହାସଲ କରିଛି । ଧୋନୀ ଅଧିନାୟକ ପଦରୁ ଓହରିବା ପରେ ଦଳର ପ୍ରଦର୍ଶନସ୍ତର ହ୍ରାସ ପାଇଛି । ଚଳିତ ସଂସ୍କରଣରେ ମଧ୍ୟ ଚେନ୍ନାଇ ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି ।