କଳାହାଣ୍ଡି: କଳାହାଣ୍ଡିବାସୀଙ୍କ ପାଇଁ ଖୁସିର ଖବର । ଜିଲ୍ଲାର ଗୋଟିଏ ମାତ୍ର ବିମାନ ବନ୍ଦରରୁ ଏଣିକି ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ବିମାନ କମ୍ପାନୀ ‘ଇଣ୍ଡିଆ ଏୟାରୱାନ’ ପକ୍ଷରୁ ସୂଚନା ମିଳିଛି ।
ତେବେ ଏହି ସେବା ଆରମ୍ଭ ହେଲେ ସାଧାରଣ ଲୋକଙ୍କ ସହିତ ମେଡ଼ିକାଲ, ଜରୁରୀକାଳୀନ ପରିସ୍ଥିତି ଏବଂ ସରକାରୀ ବା ଅଫିସିଆଲ କାମରେ ଯାଉଥିବା ଲୋକମାନେ ଏହା ଦ୍ୱାରା ବେଶ ଉପକୃତ ହେବେ । ଏହି ଖବର ସାମ୍ନାକୁ ଆଶିବା ପରେ କଳାହାଣ୍ଡି ସମେତ ତା’ର ଆଖପାଖ ଜିଲ୍ଲାବାସୀ ମଧ୍ୟ ବେଶ ଖୁସି ଅନୁଭବ କରୁଛନ୍ତି ।
ଇଣ୍ଡିଆ ଏୟାରୱାନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଉଡ଼ାଣ ବିମାନ ଭୁବନେଶ୍ୱରରୁ ସକାଳ ୫ଟା ୫୦ରେ ବାହାରି ସକାଳ ୭ଟାରେ ଉତ୍କେଲାରେ ପହଞ୍ଚିବ । ସେହିଭଳି ଉତ୍କେଲାରୁ ଉକ୍ତ ବିମାନ ସକାଳ ୭ଟା ୧୫ରେ ବାହାରି ଭୁବନେଶ୍ୱରରେ ସକାଳ ୮ଟା ୨୦ରେ ପହଞ୍ଚିବ । ଏବେ ବିମାନ ସାହାଯ୍ୟରେ ଉତ୍କେଲାରୁ ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ୱର ପହଞ୍ଚି ହେବ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିମାନ ଦିନ ୧୧ଟା ୨୦ରେ ଭୁବନେଶ୍ୱରରୁ ବାହାରି ମଧ୍ୟାହ୍ନ ୧୨ଟା ୩୦ ଉତ୍କେଲାରେ ପହଞ୍ଚିବ । ଉକ୍ତ ବିମାନ ମଧ୍ୟାହ୍ନ ୧୨ଟା ୪୫ରେ ଉତ୍କେଲାରୁ ବାହାରି ଦିନ ୧ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବ । ଏହି ଯାତ୍ରା ପାଇଁ ଟିକେଟ ମୂଲ୍ୟ ୩,୨୮୭ ଟଙ୍କା ରଖାଯାଇଛି ।