Latest Odisha News

BREAKING NEWS

ଓଡ଼ିଶାରେ ଜାରି ରହିବ ତାତି, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶାରେ ଏବେ ତାତିରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ଆଗାମୀ କିଛି ଦିନ ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ଅସହ୍ୟ ହେବାର ଆଶଙ୍କା ରହିଛି। ଆଇଏମଡି ପକ୍ଷରୁ ରବିବାର ଏନେଇ ସତର୍କ ସୂଚନା ଜାରି କରାଯାଇଛି।

ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ଆହୁରି ବଢ଼ିପାରେ। ସେହିପରି ଗରମ ଓ ଗୁଳୁଗୁଳି ପାଇଁ ଆଉ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ପଶ୍ଚିମ ଓଡ଼ିଶାରେ ଗତ କିଛି ଦିନ ହେଲା ଖରାର ପ୍ରକୋପ ଅଧିକ ରହିଛି। ଶନିବାର ଏହି ଅଞ୍ଚଳର ୫ଟି ସହରରେ ପାରଦ ୪୫ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଝାରସୁଗୁଡ଼ା ୪୫.୨ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିଲା।

କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଅଞ୍ଚଳରେ ମଧ୍ୟ ଲୋକେ ଗୁଳୁଗୁଳିରେ ଅସ୍ତବ୍ୟସ୍ତ। ବାତାବରଣରେ ଆର୍ଦ୍ରତା ଅଧିକ ଥିବାରୁ ରାତିରେ ମଧ୍ୟ ଲୋକଙ୍କୁ ଆରାମ ମିଳୁନାହିଁ। ଦିନର ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଛି।

ତେବେ ଅପରାହ୍ନରେ କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା ରହିଛି। ଏଥିରୁ କେତେକ ସ୍ଥାନରେ ସାମୟିକ ଆଶ୍ୱସ୍ତି ମିଳିପାରେ। କିନ୍ତୁ ମୋଟାମୋଟି ଭାବେ ୨୭ ମଇ ଯାଏଁ ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀ ବାୟୁ ବଙ୍ଗୋପସାଗରର କିଛି ଅଂଶ ଓ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ତେବେ ଓଡ଼ିଶାରେ ତାତିରୁ ତୁରନ୍ତ ମୁକ୍ତି ମିଳିବା ସମ୍ଭାବନା ଏବେ କମ୍ ଦେଖାଯାଉଛି।

Leave A Reply

Your email address will not be published.