ଜଗତସିଂହପୁର: ନିଶା ନିବାରଣ କେନ୍ଦ୍ରରେ ଇଞ୍ଜେକସନ୍ ଦେଇ ହତ୍ୟା ଅଭିଯୋଗ । ଅଭିଯୋଗକୁ ଆଧାର କରି ଜଗତସିଂହପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଜଗତସିଂହପୁର ସହରର ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରରେ ଏହି ଘଟଣା ଘଟିଛି ।
ଖବର ଅନୁସାରେ, ତିର୍ତ୍ତୋଲ ନାଗପୁର ଅଞ୍ଚଳର ଅନିରୁଦ୍ଧ ଲେଙ୍କା ଗତ ୩ ଦିନ ପୂର୍ବେ ଖେରସ ଠାରେ ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ଅନିରୁଦ୍ଧ ଅସ୍ବାଭାବିକ ଆଚରଣ କରିଥିଲେ । ଏହା ପରେ କର୍ମଚାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ କାବୁ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ କର୍ମଚାରୀ ୨ ଜଣ ମାଡ଼ି ବସି ଅନିରୁଦ୍ଧଙ୍କୁ ଇଞ୍ଜେକସନ୍ ଦେଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।
ଏହାପରେ ଉକ୍ତ କର୍ମଚାରୀ ମାନେ ଅନିରୁଦ୍ଧଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶରୀରରେ ମାଡ଼ ଚିହ୍ନ ରହିଥିବା ଡାକ୍ତରେ ଦେଖିଥିଲେ । ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା । ଜଗତସିଂହପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏ ସଂକ୍ରାନ୍ତରେ ଅନିରୁଦ୍ଧଙ୍କ ପୁଅ ଅବିନାଶ ଲେଙ୍କା ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଉଭୟ କର୍ମଚାରୀଙ୍କୁ ଗିରଫ କରିଛି ।