କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଫଲଟା ବିଧାନସଭା ଆସନରେ ସାନି ମତଦାନ ବା ରିପୋଲିଂ ଫଳାଫଳ ଆସିବା ପରେ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ କେନ୍ଦ୍ର ନିର୍ବାଚନ କମିଶନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତାକୁ ନେଇ ସେ ବଡ଼ ପ୍ରଶ୍ନ ଉଠାଇଛନ୍ତି।
ଅଭିଷେକ ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଫଲଟାରେ ହୋଇଥିବା ସାନି ମତଦାନରେ ବ୍ୟାପକ ଅନିୟମିତତା ହୋଇଛି। ନିର୍ବାଚନ କମିଶନଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ସେ ଦାବି କରିଛନ୍ତି ଯେ ରିପୋଲିଂ ସମୟରେ ବ୍ୟବହୃତ ସମସ୍ତ ସିସିଟିଭି ଫୁଟେଜର ନିରପେକ୍ଷ ଅଡିଟ୍ କରାଯିବା ଆବଶ୍ୟକ।
ନିଜର କ୍ଷୋଭ ପ୍ରକାଶ କରି ଟୁଇଟ୍ ଜରିଆରେ ସେ କହିଛନ୍ତି ଯେ ଗଣତନ୍ତ୍ରରେ ଲୋକଙ୍କ ମତଦାନକୁ ସୁରକ୍ଷିତ ରଖିବା କମିଶନଙ୍କ ଦାୟିତ୍ୱ। କିନ୍ତୁ ଫଲଟା ଘଟଣାରେ ଯେଉଁଭଳି ଭାବେ ରିପୋଲିଂ କରାଗଲା ଏବଂ ତରବରିଆ ଭାବେ ଫଳାଫଳ ଘୋଷଣା ହେଲା ତାହା ସମ୍ପୂର୍ଣ୍ଣ ସନ୍ଦେହଜନକ। ବୁଥ୍ ଭିତରେ ପ୍ରକୃତରେ କଣ ଘଟିଥିଲା ତାହା କେବଳ ସିସିଟିଭି ଫୁଟେଜର ନିରପେକ୍ଷ ଯାଞ୍ଚ ପରେ ହିଁ ସାମ୍ନାକୁ ଆସିପାରିବ।
ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନରେ କେନ୍ଦ୍ରୀୟ ବାହିନୀ ଏବଂ ପର୍ଯ୍ୟବେକ୍ଷକମାନେ ନିରପେକ୍ଷ ଭାବେ କାମ କରିନାହାଁନ୍ତି। ବିରୋଧୀଙ୍କୁ ଫାଇଦା ପହଞ୍ଚାଇବା ଉଦ୍ଦେଶ୍ୟରେ ଏସବୁ କରାଯାଇଛି ବୋଲି ଦଳ ଅଭିଯୋଗ ଆଣିଛି। ତେଣୁ ସତ୍ୟାସତ୍ୟ ଜାଣିବା ପାଇଁ ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ ହେବା ନିହାତି ଜରୁରୀ ବୋଲି ଅଭିଷେକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପଟେ ନିର୍ବାଚନ କମିଶନ କିମ୍ବା ବିରୋଧୀ ଦଳ ପକ୍ଷରୁ ଏଯାଏଁ ଏହି ଅଭିଯୋଗ ଉପରେ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ, ଏହି ଆସନରେ ବିଜେପି ଦମଦାର ବିଜୟ ଲାଭ କରିଛି। ଶେଷ ଖବର ସୁଦ୍ଧା ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ସିପିଆଇଏମ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସ ତୃତୀୟ ଏବଂ ଟିଏମସି ଚତୁର୍ଥ ସ୍ଥାନକୁ ଖସିଛି। ଟିଏମସିର ପ୍ରାର୍ଥୀ ତଥା ନିଜକୁ ପୁଷ୍ପା ବୋଲି ଦାବି କରୁଥିବା ଜାହାଙ୍ଗୀର ଖାନ୍ ମତଦାନର ଦୁଇ ଦିନ ପୂର୍ବରୁ ସେ ନିର୍ବାଚନରୁ ଓହରି ଯାଉଛନ୍ତି ବୋଲି ଘୋଷଣା କରିଥିଲେ। ହେଲେ ଟିଏମସି ଏହାକୁ ଦଳୀୟ ନିଷ୍ପତ୍ତି ନୁହେଁ ବରଂ ପ୍ରାର୍ଥୀଙ୍କ ନିଷ୍ପତ୍ତି ବୋଲି କହିଥିଲା।