Latest Odisha News

BREAKING NEWS

‘Trump love India, Modi’: “ମୁଁ ମୋଦିଙ୍କୁ ଭଲ ପାଏ…ମୋଦି ମହାନ୍…”, ଫୋନ୍ ରିସିଭ୍ ହେଉ ହେଉ ପ୍ରଶଂସାରେ ପୋତିଲେ ଟ୍ରମ୍ପ

ନୂଆଦିଲ୍ଲୀ: “ଆଇ ଲଭ୍ ପ୍ରାଇମିନିଷ୍ଟର ମୋଦି”

“ଆଇ ଲଭ୍ ଇଣ୍ଡିଆ”

ଚାଲିଥିଲା ଲାଇଭ୍ ଇଭେଣ୍ଟ । ଫୋନ୍ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଲେ । ଦିଲ୍ଲୀରେ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ପାଳନ ସମୟରେ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ​​ଯେତେବେଳେ ଲାଇଭ୍ କଲ୍ ମାଧ୍ୟମରେ ଯୋଡି ହୋଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ। କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ, “ମୁଁ ମୋଦୀଙ୍କୁ ଭଲ ପାଏ । ଯାହା ପରେ କରତାଳିରେ ଫାଟି ପଡିଥିଲା ଇଭେଣ୍ଟ ।

ରବିବାର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କୁ କଲ୍ ଲାଗାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ “ବନ୍ଧୁ” ଭାବରେ ବର୍ଣ୍ଣନା କରି ଟ୍ରମ୍ପ ଦୃଢ଼ ଭାବରେ କହିଥିଲେ ଯେ ୱାଶିଂଟନ ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କ “ଏତେ ନିକଟତର କେବେ ହୋଇନଥିଲା”।

ଶହ ଶହ ଲୋକଙ୍କୁ ସ୍ପିକରଫୋନ୍ ମାଧ୍ୟମରେ ଭାଷଣ ଦେଇ ଟ୍ରମ୍ପ କହିଥିଲେ, “ମୁଁ ଭାରତକୁ ଭଲ ପାଏ”, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ। ମୋଦି ମହାନ। ସେ ମୋର ବନ୍ଧୁ, ଏବଂ ମୁଁ ଆଜି ସନ୍ଧ୍ୟାରେ ସମସ୍ତଙ୍କୁ ଏକ ବହୁତ ଶୁଭ ସନ୍ଧ୍ୟା କହିବାକୁ ଚାହୁଁଛି ଏବଂ ମୁଁ କେବଳ କହିବାକୁ ଚାହୁଁଛି, ଆପଣମାନେ ମହାନ। ଆମେ ଆଗରୁ କେବେ ଭାରତର ଏତେ ନିକଟତର ହୋଇନାହୁଁ, ଏବଂ ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦% ଭରସା କରିପାରିବ।”

ଟ୍ରମ୍ପ ଆହୁରି ମଧ୍ୟ ଆମେରିକାର ଅର୍ଥନୀତିର ଶକ୍ତି ଉପରେ ଆଲୋକପାତ କରିଥିଲେ ଏବଂ ଭାରତକୁ ସମର୍ଥନ ପୁନର୍ବାର ଦୋହରାଇଥିଲେ। ଟ୍ରମ୍ପ କହିଥିଲେ, “ଯଦି ସେମାନଙ୍କୁ କେବେ ସାହାଯ୍ୟର ଆବଶ୍ୟକତା ପଡ଼େ, ସେମାନେ ଜାଣନ୍ତି ଯେ ସେମାନେ କାହାକୁ ଡାକିବେ। ସେମାନେ ଏଠାରେ ଡାକୁଛନ୍ତି। ଆମେ ସାହାଯ୍ୟ କରୁଛୁ। ଆମେ ରେକର୍ଡ ସ୍ଥାପନ କରୁଛୁ। ଆମର ଏକ ରେକର୍ଡ ଅର୍ଥନୀତି, ଏକ ରେକର୍ଡ ଷ୍ଟକ୍ ବଜାର ଏବଂ ଭାରତ ଯେବେ ଯାହା ଚାହୁଁଛି…ତାହା ହେଉଛି ବୋଲି ଦର୍ଶାଇଛନ୍ତି ଟ୍ରମ୍ପ । ଏଥିସହିତ ଟ୍ରମ୍ପ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ।

ତେବେ ରୁବିଓଙ୍କ ଚାରି ଦିନିଆ ଭାରତ ଗସ୍ତ ମଧ୍ୟରେ ଏହି ମନ୍ତବ୍ୟ ଦିଆଯାଇଛି, ଯେଉଁଥିରେ ଦ୍ୱିପାକ୍ଷିକ ସମ୍ପର୍କରେ ଥିବା ତିକ୍ତତାକୁ ଦୂର କରିବା ଏବଂ ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ ଆଗକୁ ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରବିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ଆଉ ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ଉଭୟ ପକ୍ଷ ଆମେରିକାର ଭିସା କଟକଣା, ନିର୍ବାସନ ଏବଂ ପାକିସ୍ତାନ ପ୍ରତି ୱାଶିଂଟନର ଯୋଗାଯୋଗ ଉପରେ ଉତ୍ତେଜନା ପରେ ସମ୍ପର୍କକୁ ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କର ଏହି ଭଳି ପ୍ରଶଂସା କରିବା ନୂଆ ନୁହେଁ । ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ବନ୍ଧୁତା ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ମଞ୍ଚରେ ଆଲୋଚନାର ବିଷୟ ହୋଇଆସିଛି ଏବଂ ଟ୍ରମ୍ପଙ୍କ ଏହି ବୟାନ୍ ପୁଣି ଥରେ ଏହି ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି।

Leave A Reply

Your email address will not be published.