ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି। ଦେଶରେ ଯୁବ ଏବଂ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହିପ୍ ଆର୍ଥ୍ରାଇଟିସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ ଭାରତରେ ଯୁବବର୍ଗଙ୍କ କ୍ଷେତ୍ରରେ ହିପ୍ ରିପ୍ଲେସମେଣ୍ଟ ବା ନିତମ୍ବ ହାଡ଼ ପ୍ରତିରୋପଣ ମାମଲା ପ୍ରାୟ ୪୦ ପ୍ରତିଶତ ବଢ଼ିଯାଇଛି।
ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଦ୍ୱିତୀୟ ଦିଲ୍ଲୀ ହିପ୍ ୩୬୦ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଗୁରୁତର ସମସ୍ୟା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଡାକ୍ତରମାନଙ୍କ କହିବା ଅନୁଯାୟୀ ଆଭାସ୍କୁଲାର୍ ନେକ୍ରୋସିସ୍ ହେଉଛି ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ରୋଗ। ଯେତେବେଳେ ହିପ୍ ବା ନିତମ୍ବ ହାଡ଼କୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ ସେତେବେଳେ ହାଡ଼ଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ଏହା ଫଳରେ ରୋଗୀଙ୍କୁ ଚାଲିବା ବୁଲିବାରେ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼େ।
କୋଭିଡ୍ ସଂକ୍ରମଣ ସମୟରେ ଜୀବନ ବଞ୍ଚାଇବା ପାଇଁ ବହୁ ମାତ୍ରାରେ ଷ୍ଟେରଏଡ୍ ଔଷଧର ବ୍ୟବହାର କରାଯାଇଥିଲା। ଏହି କାରଣରୁ ଏବେ ଲୋକଙ୍କ ହାଡ଼ ଦୁର୍ବଳ ହେବାରେ ଲାଗିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କୋଭିଡ୍ ପରବର୍ତ୍ତୀ ସମୟରେ ହାଡ଼ ନଷ୍ଟ ହେବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏଥିପାଇଁ ଟୋଟାଲ୍ ହିପ୍ ରିପ୍ଲେସମେଣ୍ଟ ସର୍ଜରୀର ଚାହିଦା ଏବେ ସାରା ଦେଶରେ ଆଶାତୀତ ଭାବେ ବଢ଼ିବାରେ ଲାଗିଛି।
ପୂର୍ବରୁ ଏହି ପ୍ରକାର ସମସ୍ୟା କେବଳ ବୟସ୍କ ଲୋକଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ୩୦ ରୁ ୪୫ ବର୍ଷ ବୟସର ଲୋକମାନେ ମଧ୍ୟ ଏହି ଗମ୍ଭୀର ରୋଗର ଶିକାର ହେଉଛନ୍ତି। ଏହା ସହିତ ଖରାପ ଜୀବନଶୈଳୀ, ବସି ରହି କାମ କରିବା, ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନ ମଧ୍ୟ ହାଡ଼ ଜନିତ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି।
ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ଅଣ୍ଟା କିମ୍ବା ନିତମ୍ବରେ ଲଗାତାର ଯନ୍ତ୍ରଣା ଅନୁଭବ ହେଲେ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ। ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଯାହାଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଉପଯୁକ୍ତ ଚିକିତ୍ସା କରାଯାଇପାରିବ।