ଭୁବନେଶ୍ୱର: ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଯୋଗାଯୋଗ କରି ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି ।
ଓଡ଼ିଶାର ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଏବଂ ସାର୍ବଜନୀନ ସ୍ଥାନ (କମୁନିଟି ସ୍ପେସ) ସହିତ ପରିପୂର୍ଣ୍ଣ କରିବା ପାଇଁ ଆଦର୍ଶ ଗ୍ରାମ ମିଶନକୁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପରିକଳ୍ପନା କରାଯାଇଛି । ଏହା କେବଳ ସହରାଞ୍ଚଳ ସ୍ତରର ସୁବିଧା ପ୍ରଦାନ କରି ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକୁ ସଶକ୍ତ କରିବ ନାହିଁ, ବରଂ ସେଗୁଡିକୁ ଆତ୍ମନିର୍ଭରଶୀଳ ଓ ସ୍ୱୟଂଶାସିତ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବ ।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୭୩୩ଟି ଗ୍ରାମ ପଞ୍ଚାୟତର ସମସ୍ତ ସଦର ଗ୍ରାମକୁ ୨୦୨୯ ସୁଦ୍ଧା ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଦିଆଯିବ । ଏହି ଲକ୍ଷ୍ୟ ପୂରଣର ପ୍ରଥମ ପଦକ୍ଷେପ ଭାବେ ଗ୍ରାମ ସ୍ତରରେ ଭିତ୍ତିଭୂମି ଓ ସୁବିଧାର ଅଭାବ ଚିହ୍ନଟ କରିବା ପାଇଁ ଏକ ବେସଲାଇନ ସର୍ଭେ କରାଯିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଶକ୍ତି ବିଭାଗ ଇତ୍ୟାଦି ସମସ୍ତ ଅଂଶୀଦାର ବିଭାଗ ସହ ପରାମର୍ଶ କରି ସର୍ଭେ ପାଇଁ ଏକ ନିର୍ଦ୍ଧାରିତ ଫର୍ମାଟ ପ୍ରସ୍ତୁତ କରାଯାଇଛି । ଆଜି ମନ୍ତ୍ରୀ ଏହି ସର୍ଭେ ଫର୍ମାଟକୁ ଉନ୍ମୋଚନ କରିଛନ୍ତି । ବେସଲାଇନ ସର୍ଭେର ଆରମ୍ଭ ସହିତ ‘ମଡେଲ ଭିଲେଜ ମିଶନ’ର ଔପଚାରିକ ଶୁଭାରମ୍ଭ କରାଯାଇଛି ।
ନୂତନ ଯୋଜନାଟି ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ରୂପାନ୍ତରଣ ଘଟାଇ ତାହାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ମନ୍ତ୍ରୀ ଏହି ଅବସରରେ ମତ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ କାର୍ଯ୍ୟାନ୍ବୟନ ଓ ନିରୀକ୍ଷଣ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-କମ୍-ସଚିବ ଗିରିଶ ଏସ୍.ଏନ୍.ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଂଶୀଦାର ବିଭାଗର ପ୍ରତିନିଧିମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ଓ ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ନେଇ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବାର ବ୍ୟବସ୍ଥା ରହିଛି ।
ଏହି ଅବସରରେ ମନ୍ତ୍ରୀ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ମଧ୍ୟ ଶୁଭାରମ୍ଭ କରିଥିଲେ । ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଏବଂ ରାଜନୈତିକ ଇତିହାସରେ ଅସାଧାରଣ ଅବଦାନ ରଖିଥିବା ମହାପୁରୁଷମାନଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରି ସେଗୁଡ଼ିକୁ ଆଦର୍ଶ ଗ୍ରାମ ପଞ୍ଚାୟତରେ ପରିଣତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ଏହି ଯୋଜନା ୨୦୨୬-୨୭ ରୁ ୨୦୨୮-୨୯ ପର୍ଯ୍ୟନ୍ତ ତିନି ବର୍ଷ ଅବଧି ପାଇଁ କାର୍ଯ୍ୟକାରୀ ହେବ ଏବଂ ଏହା ଅଧୀନରେ ରାଜ୍ୟର ପ୍ରାୟ ୧୦୦ରୁ ୧୫୦ଟି ଗ୍ରାମ ପଞ୍ଚାୟତକୁ ଚୟନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଜଡିତ ୧୫ଟି ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ଏହି ଯୋଜନା ଅଧୀନରେ ରାସ୍ତା, ପାଇପ୍ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଅଙ୍ଗନୱାଡି କେନ୍ଦ୍ର, ଖେଳପଡ଼ିଆ, ଡିଜିଟାଲ୍ ସଂଯୋଗ, ସୌର ଶକ୍ତି, ସ୍ମାରକୀ ପାର୍କ ଏବଂ ପୈତୃକ ଘରର ପୁନରୁଦ୍ଧାର ଭଳି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ । ଏହା ସହିତ ଦକ୍ଷତା ବିକାଶ, ଡିଜିଟାଲ୍ ସାକ୍ଷରତା, ସାମାଜିକ ସୁରକ୍ଷା ଏବଂ ଜୀବିକା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଏହି ଯୋଜନା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ ଓ ସମନ୍ୱୟ ରକ୍ଷା କରାଯିବ ।
ଏହି ପଦକ୍ଷେପ ମାଧ୍ୟମରେ ମହାପୁରୁଷମାନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ସହିତ ରାଜ୍ୟର ଗ୍ରାମୀଣ ଅଞ୍ଚଳର ସାମଗ୍ରିକ ଓ ସ୍ଥାୟୀ ବିକାଶକୁ ନୂତନ ଗତି ମିଳିବ ବୋଲି ମାନ୍ୟବର ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।