ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ର ୩ ଜଣ ବିଦ୍ରୋହୀ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ସେମାନେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ରେ ସାମିଲ ହୋଇଛନ୍ତି। ଏହି ଘଟଣା ପରେ ରାଜ୍ୟରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଉଠିଛି।
ଇସ୍ତଫା ଦେଇଥିବା ବିଧାୟକମାନଙ୍କ ମଧ୍ୟରେ ମଦୁରାନ୍ତକମ ଆସନର ମରଗଥମ କୁମାରବେଲ, ଧାରାପୁରମର ପି. ସତ୍ୟଭାମା ଏବଂ ପେରୁନ୍ଦୁରାଇ ଆସନର ଏସ. ଜୟକୁମାର ସାମିଲ ଅଛନ୍ତି। ସୋମବାର ଦିନ ଏହି ତିନି ନେତା ଚେନ୍ନାଇ ସ୍ଥିତ ସଚିବାଳୟରେ ବିଧାନସଭା ବାଚସ୍ପତି ଜେସିଡି ପ୍ରଭାକରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ବାଚସ୍ପତି ସେମାନଙ୍କ ଇସ୍ତଫାକୁ ତୁରନ୍ତ ଗ୍ରହଣ କରିଛନ୍ତି। ଏହାପରେ ବିଧାନସଭାରେ ଏଆଇଏଡିଏମକେର ସଦସ୍ୟ ସଂଖ୍ୟା ୪୭ ରୁ ହ୍ରାସ ପାଇ ୪୪ ରେ ପହଞ୍ଚିଛି।
ବିଧାୟକମାନଙ୍କର ଏଭଳି ଦଳବଦଳକୁ ନେଇ ବିରୋଧୀ ଦଳଗୁଡ଼ିକ ଶାସକ ଟିଭିକେ ଉପରେ ବର୍ଷିଛନ୍ତି। ଡିଏମକେ ମୁଖ୍ୟ ଏମ. କେ. ଷ୍ଟାଲିନ ଏହାକୁ କଡ଼ା ସମାଲୋଚନା କରି ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ରାଜ୍ୟରେ ଏବେ ‘ଘୋଡ଼ା ବେଗରେ ଘୋଡ଼ା ବେପାର’ ଚାଲିଛି। ସଚିବାଳୟ ପରିସର ଭିତରେ ହିଁ ବିଧାୟକମାନଙ୍କୁ ଦଳରେ ସାମିଲ କରାଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ସେହିପରି ଏଆଇଏଡିଏମକେ ସାଧାରଣ ସମ୍ପାଦକ ଏଡାପ୍ପାଡି କେ. ପାଲାନିସ୍ୱାମୀ (ଇପିଏସ) ମଧ୍ୟ ଏହାକୁ ଏକ ପୂର୍ବ ପ୍ରସ୍ତୁତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ତଳ ମହଲାରେ ବିଧାୟକମାନଙ୍କ ଇସ୍ତଫା ଗ୍ରହଣ କରାଯାଉଥିବା ବେଳେ ଉପର ମହଲାରେ ସେମାନଙ୍କୁ ମନ୍ତ୍ରୀଙ୍କ ହାତରେ ଦଳୀୟ ସଦସ୍ୟତା ବଣ୍ଟା ଯାଉଥିଲା, ଯାହା ଶାସକ ଦଳର ଅସଲ ଚେହେରାକୁ ପଦାରେ ପକାଇଛି।
ଅନ୍ୟପଟେ ନିଜ ନିଷ୍ପତ୍ତିକୁ ନେଇ ସଫେଇ ଦେଇଛନ୍ତି ଇସ୍ତଫା ଦେଇଥିବା ବିଧାୟକ। ବିଧାୟିକା ମରଗଥମ କୁମାରବେଲ କହିଛନ୍ତି ଯେ ସେମାନେ ସ୍ୱଇଚ୍ଛାରେ ଟିଭିକେରେ ସାମିଲ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଭଳି ମୁଖ୍ୟମନ୍ତ୍ରୀ ବିଜୟ ମଧ୍ୟ ମହିଳାମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି। ତେଣୁ ରାଜ୍ୟରେ ଏକ ଭଲ ଶାସନ ଆଶାରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଉପନିର୍ବାଚନରେ ସେମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ, ତାହା ଦଳର ଶୀର୍ଷ ନେତୃତ୍ୱ ସ୍ଥିର କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକର ସମର୍ଥନରେ ଦଳ ଏବେ ସରକାର ଚଲାଉଛି। ଗତ ମେ ୧୩ ତାରିଖରେ ହୋଇଥିବା ଆସ୍ଥା ଭୋଟ୍ରେ ଏଆଇଏଡିଏମକେର ୨୫ ଜଣ ବିଦ୍ରୋହୀ ବିଧାୟକ ଦଳୀୟ ହ୍ୱିପ୍କୁ ଅମାନ୍ୟ କରି ବିଜୟ ସରକାର ସପକ୍ଷରେ ମତଦାନ କରିଥିଲେ। ବର୍ତ୍ତମାନ ସେହି ବିଦ୍ରୋହୀ ଗୋଷ୍ଠୀରୁ ୩ ଜଣ ସଦସ୍ୟ ସମ୍ପୂର୍ଣ୍ଣ ଭାବେ ବିଧାୟକ ପଦ ଛାଡ଼ି ଟିଭିକେରେ ମିଶିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ଅନୁସାରେ, ଆଗାମୀ ଦିନରେ ଏହି ଆସନଗୁଡ଼ିକରେ ଉପନିର୍ବାଚନ ଜିତି ନିଜ ବଳରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଟିଭିକେ ରଣନୀତି ପ୍ରସ୍ତୁତ କରୁଛି।