ଭୁବନେଶ୍ବର: ସପ୍ତାହେ ହେଲା ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ତାତିରୁ ମିଳୁନି ତ୍ରାହି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଆକାଶରୁ ନିଆଁବର୍ଷା ଜାରି ରହିଛି। ଉପକୂଳର ଗୁଳୁଗୁଳି ଅଂଶୁଘାତ ସମ୍ଭାବନାକୁ ବଢ଼ାଉଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଗତକାଲି ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ବଲାଙ୍ଗୀର ଓ ସମ୍ବଲପୁରର ଉତ୍ତପ୍ତ ରାତି ଜନଜୀବନକୁ ଅସହ୍ୟ ଯନ୍ତ୍ରଣା ଦେଉଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା।
ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଆରମ୍ଭରୁ ଠକିଛି ମୌସୁମୀ । ମେ’ ୨୬ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। କିନ୍ତୁ, ଛୁଇଁବା ତ ଦୂର କଥା, କେରଳ ଆଖପାଖରେ ମୌସୁମୀର ଚିହ୍ନବର୍ଣ୍ଣ ନାହିଁ ।
ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳ ପାଖରେ ଅଟକିଛି ମୌସୁମୀ । ଆସନ୍ତା ୨୮ରୁ ଜୁନ୍ ୩/୪ ସୁଦ୍ଧା ମୌସୁମୀ କେରଳ ଉପକୂଳରେ ପହଞ୍ଚିପାରେ । ଆସନ୍ତା ୨-୩ ଦିନ ଭିତରେ ମୌସୁମୀ ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗର, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୁର୍ବ ଓ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ସହ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗରର ବାକି ଅଞ୍ଚଳକୁ ବ୍ୟାପିଯିବ । କେରଳକୁ ମୌସୁମୀ ସ୍ପର୍ଶ କରିବାର ସ୍ୱାଭାବିକ ସମୟ ଜୁନ୍ ୧ । ଏଥର ୫ ଦିନ ଆଗରୁ ମୌସୁମୀ ପହଞ୍ଚିବା ନେଇ ପୂର୍ବାନୁମାନ ହୋଇଥିଲା । ଏବେ ମୌସୁମୀ ଆଗମନ ବିଳମ୍ବିତ ହେବା ଆକଳନ କରାଯାଉଛି ।