ଭୁବନେଶ୍ୱର: ମାତୃଭାଷାରେ ପିଲା ପଢିବେ ଯୁକ୍ତ ଦୁଇ ବିଜ୍ଞାନ ପାଠ। ଓଡ଼ିଆରେ ଉପଲବ୍ଧ ହେବ +୨ ବିଜ୍ଞାନ ବହି। ଆଉ ବିଜ୍ଞାନ ଶିକ୍ଷାରେ ବାଧକ ନୁହେଁ ଭାଷା। ଏବେ ଓଡ଼ିଆ ଭାଷାରେ ପଢ଼ି ଡାକ୍ତର, ଇଞ୍ଜିନିୟର ହେବାର ସୃଷ୍ଟି ହୋଇଛି ସୁଯୋଗ। ୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଚଳିତ ବର୍ଷରୁ +୨ ବିଜ୍ଞାନ ବହି ସମ୍ପୂର୍ଣ୍ଣ ଓଡ଼ିଆରେ ଉପଲବ୍ଧ ହେବ। ଏହାଦ୍ବାରା ପାଖାପାଖି ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ।
ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଓଡ଼ିଶା ସରକାରଙ୍କ ଦ୍ବାରା ମୁଦ୍ରିତ ଏହି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତ ବହି ସମସ୍ତ ସରକାରୀ ଓ ବେସରକାରୀ କଲେଜରେ ଉପଲବ୍ଧ ହେବ। ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ନେବା ପାଇଁ ଅନୁରୋଧ କରାଯାଇଛି। ଏହା ପୂର୍ବରୁ ବିଜ୍ଞାନ ଛାତ୍ରଛାତ୍ରୀ କେବଳ ଇଂରାଜୀ ମାଧ୍ୟମରେ ପଢ଼ିବାକୁ ବାଧ୍ୟ ହେଉଥିଲେ।
ସଂସ୍ଥାର ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ, ମାତୃଭାଷାରେ ବିଜ୍ଞାନ ପଢ଼ିଲେ ପିଲାଙ୍କ ବିଷୟବସ୍ତୁ ବୁଝିବା ସହଜ ହେବ ଏବଂ ସେମାନେ JEE, NEET ଭଳି ଜାତୀୟ ସ୍ତରର ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ ହୋଇଛି ଏହି ବହି। ଓଡ଼ିଆ ମାଧ୍ୟମରେ ବିଜ୍ଞାନ ଶିକ୍ଷା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ।