ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)–୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ୦୧ ଜୁଲାଇ ୨୦୨୬ ଏସ ଆଇ ଆର ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ୨୯ ମଇ ୨୦୨୬ ସୁଦ୍ଧା ରାଜ୍ୟରେ ପ୍ରିଣ୍ଟିଂ, ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲଓ ମାନଙ୍କର ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ୩୦ ମଇ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବିଏଲଓମାନେ ନିର୍ବାଚକଙ୍କ ଘରକୁ ଯାଇ ପ୍ରତ୍ୟେକ ନିର୍ବାଚକ ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ନିର୍ବାଚକଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବାକୁ ପଡିବ।
ବିଏଲଓ ମାନେ ପରିଦର୍ଶନ ସମୟରେ ସେମାନଙ୍କ ର ତଥ୍ୟ ଯାଞ୍ଚ କରିବେ ଓ ସେମାନଙ୍କ ସାମାନ୍ୟ ତ୍ରୁଟି କୁ ସଂଶୋଧନ କରିବେ। ସେହିପରି ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ୍ ନ ପଡନ୍ତି ଓ ଅଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ସେଥିପ୍ରତି ବିଏଲଓ ମାନଙ୍କୁ ସଜାଗ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ୨୮ ଜୁନ ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକର ପୁନର୍ବିନ୍ୟାସ ପରେ ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ୫ ଜୁଲାଇରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ୫ ଜୁଲାଇ ୨୦୨୬ରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ/ଦାବି ଓ ଆପତ୍ତିର ସମାଧାନ ଓ ୬ ସେପ୍ଟେମ୍ବର ୨୦୨୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଏସଆଇଆର ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ ନିର୍ବାଚକଙ୍କ ମଧ୍ୟରୁ ୩,୧୬,୦୩,୩୨୩ ଜଣ ନିର୍ବାଚକ ଅର୍ଥାତ୍ ୯୪.୬୧% ନିର୍ବାଚକଙ୍କୁ ୨୦୦୨ ମସିହାରେ ପ୍ରକାଶିତ ଶେଷ SIR ସମୟର ଭୋଟର ତାଲିକା ସହିତ ମ୍ୟାପ୍ କରାଯାଇଛି। ପ୍ରାକ୍-SIR ପର୍ଯ୍ୟାୟରେ ଯେଉଁ ନିର୍ବାଚକମାନଙ୍କୁ ମ୍ୟାପ୍ କରାଯାଇପାରିନଥିଲା, ସେମାନେ ମଧ୍ୟ SIR ସମୟରେ ଯଥୋଚିତ ସୂଚନା ଦାଖଲ କଲେ ମ୍ୟାପ୍ ହୋଇପାରିବେ।
ଏସଆଇଆର ସମୟରେ ୪୫ ହଜାର ୨୫୫ ଜଣ ବୁଥ ସ୍ତରୀୟ ଅଧିକାରୀ ନିର୍ବାଚକଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ।
ଏବେ ସୁଦ୍ଧା ରାଜ୍ୟରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ମୋଟ ୩୩ ହଜାର ୨୬ ଜଣଙ୍କୁ ନିଯୁକ୍ତ କରାଯାଇଛି।ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯିବ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ।
ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ ।