ବେଙ୍ଗାଲୁରୁ: IPL ୨୦୨୬ ଫାଇନାଲ୍ ରବିବାର, ମେ ୩୧ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଟାଇଟଲ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ପରସ୍ପରକୁ ମୁହାଁମୁହିଁ ହେବେ । ବେଙ୍ଗାଲୁରୁ ୨୦୨୫ ସିଜିନ୍ର ଚାମ୍ପିଅନ୍ ଥିଲା, ଏବଂ ଗୁଜରାଟ ୨୦୨୨ ସିଜିନ୍ର ଚାମ୍ପିଅନ୍ ଥିଲା । ଉଭୟଙ୍କ ପାଖରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ୍ ହେବାର ସୁବର୍ଣ୍ଣ ସୁଯୋଗ ଅଛି । ତେବେ ଏହି ଫାଇନାଲ ଫାଇଟ୍ ପୂର୍ବରୁ RCB ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି ।
ଶୁକ୍ରବାର ଦିନ, ବେଙ୍ଗାଲୁରୁ ପୋଲିସ ଏକ ପରାମର୍ଶ ଜାରି କରି ଲୋକଙ୍କୁ ବାଣ ନ ଫୁଟାଇବାକୁ କିମ୍ବା RCBର ବିଜୟକୁ ପାଳନ କରିବା ପାଇଁ ରାସ୍ତାରେ ବହୁ ସଂଖ୍ୟାରେ ଏକାଠି ନ ହେବାକୁ ଅନୁରୋଧ କରିଥିଲା । ଗତ ବର୍ଷ ମଧ୍ୟ ଏହି ଘଟଣା ଘଟିଥିଲା, ଯେତେବେଳେ ଜୁନ୍ ୪ ତାରିଖରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା, ଯାହା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହା ସହ ରାସ୍ତାରେ LED ଲଗାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ କହିଛି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା LED ଲଗାଯାଇ ପାରିବ ନାହିଁ । ସେହିପରି ପୂର୍ବରୁ ଯେଉଁଠାରେ LED ଲଗାଯାଇଛି ସେଠାରେ ମଧ୍ୟ ଲାଇଭ୍ ମ୍ୟାଚ୍ ପ୍ରସାରଣ କରିବାକୁ ଅନୁମତି ଦିଆଯିବ ନାହିଁ ।
ଏହା ସହ ସୋସିଆଲ ମିଡିଆରେ ଯେପରି କୌଣସି ଆପତ୍ତିଜନକ ପୋଷ୍ଟ ନ ଅପଲୋଡ କରିବେ ସେନେଇ ସାଇବର ପୋଲିସ ନଜର ରଖିବ । ସମ୍ଭାବ୍ୟ ଝଗଡ଼ା ଏଡାଇବା ପାଇଁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।