ଭୁବନେଶ୍ୱର: ଆଜି ଠାରୁ ସରକାରୀ କାମରେ ବ୍ୟବହାର ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ (ଇଭି) କିଣାଯିବ । ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କଲେ ଓଡିଶା ସରକାର । ଆଜିଠୁ ଏହି ନିୟମ ସମସ୍ତ ସରକାରୀ ବିଭାଗ ପାଇଁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଅର୍ଥ ବିଭାଗର ନିର୍ଦ୍ଦେଶ ମୁତାବକ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟ ପାଇଁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିକ ଯାନବାହନ କିଣିବା ନେଇ ଅନୁମୋଦନ କରାଯାଇଛି । ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ମନ୍ତ୍ରୀଙ୍କ ପାଇଁ ସମାନ ୩୦ ଲକ୍ଷ ଟଙ୍କା, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବସ୍ତରୀୟ ଅଧିକାରୀଙ୍କ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ , ଜିଲ୍ଲା ଜଜ୍, ଜିଲାପାଳ ଏବଂ ଏସପିଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।
ସରକାରୀ ବ୍ୟବହାର ପାଇଁ କେବଳ ଟାଟା, ମହିନ୍ଦ୍ରା ଓ ମାରୁତି ଦ୍ୱାରା ନିର୍ମିତ ଇଲେକ୍ଟ୍ରିକ୍ ଗାଡ଼ି ହିଁ କିଣାଯାଇପାରିବ । ସରକାରୀ ଗାଡ଼ି ଗୁଡ଼ିକର ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଓ ସେଗୁଡ଼ିକୁ ସ୍କ୍ରାପ୍ ବା ଅଚଳ ଘୋଷଣା କରାଯିବା ପରେ ହିଁ ନୂଆ ଗାଡ଼ି କିଣାଯାଇପାରିବ ।