ବରଗଡ଼:ଆମରଣ ଅନଶନରେ ବସିଲେ ଚାଷୀ । ଟୋକନ ପ୍ରଦାନରେ ବିଳମ୍ବ ଏବଂ ପର୍ଯ୍ୟାପ୍ତ ଟୋକନ ନମିଳିବା ପ୍ରତିବାଦରେ ଚାଷୀମାନେ ଆମରଣ ଅନଶନରେ ବସିଛନ୍ତି । ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା ବଜାର ପ୍ରାଙ୍ଗଣରେ ଆମରଣ ଅନଶନ ଆରମ୍ଭ ହୋଇଛି।
ସୂଚନାଥାଉକି, ଡଭା ପ୍ୟାକ୍ସରେ ଧାନ ବିକ୍ରୟ ପାଇଁ ଆବେଦନ କରିଥିବା ଅଧିକାଂଶ ଚାଷୀଙ୍କୁ ଟୋକନ କମ ମିଳିଥିବା ବେଳେ ୫୧୪ ଜଣ ଚାଷୀଙ୍କୁ ଟୋକନ ମିଳିନାହିଁ। ଏନେଇ ଚାଷୀମାନେ ଗତ ୨୯ ତାରିଖରେ ପ୍ରଶାସନକୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଉପଜିଲାପାଳ ଡଭାରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନ ଥିଲା। ଏହାପରେ ବାଧ୍ୟ ହୋଇ ଶହ ଶହ ଚାଷୀ ଡଭା ବଜାର ପ୍ରାଙ୍ଗଣରେ ଧାନ ବସ୍ତା ରଖି ଆମରଣ ଅନଶନରେ ବସିଛନ୍ତି।
ଚାଷୀମାନେ ଦାବି କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଟୋକନ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ, ସେପର୍ଯ୍ୟନ୍ତ ତାଙ୍କର ଆମରଣ ଅନଶନ ଜାରି ରହିବ।
ସେପଟେ ଝାରସୁଗୁଡ଼ାରେ ବି ଚାଷୀମାନେ ଆନ୍ଦୋଳନ କରିଛନ୍ତି । ୧୯ ଖଣ୍ଡ ମୌଜାର ଚାଷୀ ଏକ ବୈଠକ କରି ହୀରାକୁଦ ବୁଡ଼ି ଅଞ୍ଚଳର ଧାନ ସରକାର କିଣିବାକୁ ଦାବି କରିଛନ୍ତି ।୩୧ଶହ ଟଙ୍କାରେ ନହେଲେ ବି କେନ୍ଦ୍ର ସରକାରଙ୍କ ନୂତନ ଧାର୍ଯ୍ୟ ଦରରେ ୨୪ଶହ ୪୨ ଟଙ୍କାରେ ଚାଷୀ ମାନଙ୍କର କଷ୍ଟ ଉତ୍ପାଦିତ ଧାନକୁ କିଣିବା ପାଇଁ ସରକାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।