Latest Odisha News

BREAKING NEWS

FSSAIର ବଡ଼ ନିର୍ଦ୍ଦେଶ, ଖବରକାଗଜରେ ଖାଦ୍ୟ ପ୍ୟାକିଂ ତୁରନ୍ତ ବନ୍ଦ କରନ୍ତୁ

ଭୁବନେଶ୍ୱର: ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଆସିଛି ଜରୁରୀ ସତର୍କତା। ଖବରକାଗଜରେ ଗରମ, ତେଲିଆ କିମ୍ବା ଭଜା ଖାଦ୍ୟ ପରସିବା ଓ ପ୍ୟାକ୍‌ କରିବା ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି ସୃଷ୍ଟି କରିପାରେ। ଏନେଇ Food Safety and Standards Authority of India, FSSAI ପୁଣିଥରେ ଖାଦ୍ୟ ବ୍ୟବସାୟୀ ଓ ଠେଲା ବିକ୍ରେତାଙ୍କୁ ସତର୍କ କରାଇଛି।

FSSAI ସ୍ପଷ୍ଟ କରିଛି ଯେ, ଖବରକାଗଜରେ ଖାଦ୍ୟ ପରସିବା, ମୋଡ଼ିବା କିମ୍ବା ରଖିବା ଖାଦ୍ୟ ସୁରକ୍ଷା ନିୟମ ବିରୋଧୀ। ବିଶେଷ କରି ଗରମ ଓ ତେଲିଆ ଖାଦ୍ୟ ଖବରକାଗଜ ସଂସ୍ପର୍ଶରେ ଆସିଲେ, ପ୍ରିଣ୍ଟିଂ ଇଙ୍କରେ ଥିବା ହାନିକାରକ କେମିକାଲ୍‌, ଡାଇ ଓ ସୀସା ଭଳି ଭାରୀ ଧାତୁ ଖାଦ୍ୟରେ ମିଶିପାରେ। ଏହି ଖାଦ୍ୟ ମାଧ୍ୟମରେ ସେଗୁଡ଼ିକ ମଣିଷ ଶରୀରକୁ ପ୍ରବେଶ କରି ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ବଢ଼ାଇପାରେ।

ଖବରକାଗଜ କେବଳ କାଳି କିମ୍ବା କେମିକାଲ୍‌ ଯୋଗୁଁ ନୁହେଁ, ସ୍ୱଚ୍ଛତା ଦୃଷ୍ଟିରୁ ମଧ୍ୟ ବିପଦଜନକ। ଛପା, ପରିବହନ ଓ ବିତରଣ ସମୟରେ ଖବରକାଗଜ ଅନେକ ହାତ ଓ ଅସ୍ୱଚ୍ଛ ପରିବେଶ ସଂସ୍ପର୍ଶରେ ଆସେ। ଫଳରେ ଏଥିରେ ଜୀବାଣୁ ଓ ଅନ୍ୟାନ୍ୟ ଦୂଷିତ ପଦାର୍ଥ ରହିବାର ଆଶଙ୍କା ଥାଏ। ଏମିତି କାଗଜରେ ଖାଦ୍ୟ ରଖିବା ସିଧାସଳଖ ଭାବେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳ କରିବା ସମାନ।

Food Safety and Standards Packaging Regulations, 2018 ଅନୁସାରେ, ଖବରକାଗଜକୁ ଖାଦ୍ୟ ସଂରକ୍ଷଣ କିମ୍ବା ପ୍ୟାକେଜିଂ ପାଇଁ ବ୍ୟବହାର କରିବା କଡ଼ାକଡ଼ି ଭାବେ ନିଷିଦ୍ଧ। ଏହି ନିୟମ ଷ୍ଟ୍ରିଟ୍‌ ଫୁଡ୍‌ ବିକ୍ରେତା, ହୋଟେଲ, ରେଷ୍ଟୁରାଣ୍ଟ, କ୍ଲାଉଡ୍‌ କିଚେନ୍‌, କ୍ୱିକ୍‌ ସର୍ଭିସ୍‌ ରେଷ୍ଟୁରାଣ୍ଟ, ମୋବାଇଲ୍‌ ଫୁଡ୍‌ ସେଲର୍‌ ଓ ହକର୍‌ ସମସ୍ତଙ୍କ ପାଇଁ ଲାଗୁ ହୁଏ।

କେବଳ ଖାଦ୍ୟ ପ୍ୟାକିଂ ନୁହେଁ, ଭଜା ଖାଦ୍ୟର ଅତିରିକ୍ତ ତେଲ ଶୋଷିବା ପାଇଁ ଖବରକାଗଜ ବ୍ୟବହାର କରିବା ମଧ୍ୟ ନିୟମ ଉଲ୍ଲଂଘନ। ଅନେକ ସ୍ଥାନରେ ସିଙ୍ଗଡା, ବରା, ପକୋଡି, ଚପ୍‌, ଜିଲାପି ଓ ଅନ୍ୟାନ୍ୟ ଭଜା ଖାଦ୍ୟ ଖବରକାଗଜ ଉପରେ ରଖାଯାଉଛି। ଏହା ସାଧାରଣ ଦୃଶ୍ୟ ହୋଇଥିଲେ ମଧ୍ୟ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଅତ୍ୟନ୍ତ ଅସୁରକ୍ଷିତ।

ମୁମ୍ବାଇରେ ଜଣେ ବଡା ପାଉ ବିକ୍ରେତା ଖବରକାଗଜରେ ଖାଦ୍ୟ ପରସୁଥିବା ଓ ପ୍ୟାକ୍‌ କରୁଥିବା ଧରାପଡ଼ିବା ପରେ FSSAI ଓ ସ୍ଥାନୀୟ ପ୍ରଶାସନ ମିଳିତ ଯାଞ୍ଚ କରିଥିଲେ। ଏହି ଘଟଣା ପରେ ଦେଶର ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କୁ ସୁରକ୍ଷିତ ପ୍ୟାକେଜିଂ ପ୍ରଣାଳୀ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.