LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି ଟଙ୍କା…
ନୂଆଦିଲ୍ଲୀ: ରୋଷଇ ଘରେ ମହଙ୍ଗା ମାଡ । ପୁଣି ବୃଦ୍ଧି ପାଇଲା ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୨୯ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବଢି ଏବେ ୯୪୨ ଟଙ୍କା ହୋଇଛି। ନୂତନ ଦର ଜୁନ୍ ୭ ତାରିଖରୁ ଅର୍ଥାତ୍ ଆଜି ଠାରୁ କାର୍ଯ୍ୟକାରୀ ହେବ। ତିନି ମାସରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ବିଶ୍ୱ ସ୍ତରରେ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁଁ ସରକାରୀ ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ନିରନ୍ତର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଏହା ଦ୍ଵାରା ଅନ୍ୟାନ୍ୟ ଇନ୍ଧନ ସହିତ ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି । ସିଏନଜି ମଧ୍ୟ ମହଙ୍ଗା ହୋଇଛି।
ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ବିଶ୍ୱ ସ୍ତରରେ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ସମସ୍ତ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇଛି। ହରମୁଜ୍ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ ଯୋଗାଣ ପାଉଥିବା ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଭାରତ ଏବଂ ପଡ଼ୋଶୀ ଦେଶଗୁଡ଼ିକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ସରକାରୀ ତେଲ କମ୍ପାନୀଗୁଡ଼ିକ ବିକ୍ରି ହେଉଥିବା ପ୍ରତି ସିଲିଣ୍ଡର ପାଇଁ ପ୍ରାୟ ୭୦୩ ଟଙ୍କା କ୍ଷତି ସହୁଥିଲେ। ଯାହାର ପ୍ରଭାବ ଏବେ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡିଛି । ଲଗାତାର ଦ୍ବିତୀୟ ଥର ପାଇଁ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଢିଛି ।
ପୂର୍ବରୁ ଆନ୍ତର୍ଜାତୀୟ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ ମାର୍ଚ୍ଚ ୭ ତାରିଖରେ ଏଲପିଜି ମୂଲ୍ୟ ବୃଦ୍ଧି କରାଯାଇଥିଲା। ଏହା ପ୍ରତି ସିଲିଣ୍ଡର ପାଇଁ ୬୦ ଟଙ୍କା ବୃଦ୍ଧି ପାଇଥିଲା। ତିନି ମାସ ପରେ, ଗ୍ୟାସ ମୂଲ୍ୟ ଆଉ ୨୯ ଟଙ୍କାକୁ ବୃଦ୍ଧି ପାଇଛି। ତିନି ମାସରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୋଟ ୮୯ ଟଙ୍କା ମହଙ୍ଗା ହୋଇଛି। ଯାହା ଏବେ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପକାଇଛି । କାରଣ ବିଶ୍ବ ସଙ୍କଟ ମଧ୍ୟରେ ମହଙ୍ଗା ହେଉଛି ଅତ୍ୟାବଶ୍ୟକ ଜିନିଷ ।
ତେବେ ଭାରତ ଏହାର ଇନ୍ଧନ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରଚୁର ପରିମାଣର ଅଶୋଧିତ ତୈଳ ଏବଂ ଗ୍ୟାସ ଆମଦାନୀ କରିଥାଏ। ଏହାର ଏକ ବଡ଼ ଅଂଶ ଉପସାଗରୀୟ ଦେଶଗୁଡ଼ିକରୁ ଆସିଥାଏ। ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଯୋଗୁଁ, ହରମୁଜ୍ ପ୍ରଣାଳୀ ଦେଇ ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯାହା ଯୋଗୁଁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ, ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ରହିଛି, କିନ୍ତୁ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ବିକ୍ଷିପ୍ତ ଆକ୍ରମଣ ଜାରି ରଖିଛନ୍ତି। ତଥାପି, ଏକ ଚୁକ୍ତିନାମା ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଯଦି ଏହି ଚୁକ୍ତି ଶୀଘ୍ର ହୁଏ, ତେବେ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ପୁଣି ଆରମ୍ଭ ହୋଇପାରେ ଏବଂ ଭାରତରେ ଗ୍ୟାସ ମୂଲ୍ୟ ହ୍ରାସ ପାଇବାର ଆଶା କରାଯାଇପାରେ। ନହେଲେ ଏହିପରି ଭାବେ ପେଟ୍ରୋଲ, ଡିଜେଲ୍ ଏବଂ ଗ୍ୟାସ ମହଙ୍ଗା ହୋଇଚାଲିବ ।