Latest Odisha News

BREAKING NEWS

No Charge from PMJAY Patients: ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରୋଗୀଙ୍କଠାରୁ ଆଉ ନେଇପାରିବେନି ଟଙ୍କା…ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ଲାଭାର୍ଥୀଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟକୁ ରୋକିବା ପାଇଁ ଓଡ଼ିଶା ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଶନିବାର ଭୁବନେଶ୍ୱରର ଦୁଇଟି ବେସରକାରୀ ହସ୍ପିଟାଲରେ ଅଚାନକ ପହଞ୍ଚି ଯାଞ୍ଚ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ ଜୁନ୍ ୧ ତାରିଖରେ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଯୋଜନାଭୁକ୍ତ ହସ୍ପିଟାଲଗୁଡ଼ିକ ରୋଗୀଙ୍କଠାରୁ ଭର୍ତ୍ତି ପୂର୍ବରୁ ୩ ଦିନ ଏବଂ ଡିସଚାର୍ଜ ପରେ ୧୫ ଦିନ ପର୍ଯ୍ୟନ୍ତ କୌଣସି ପରାମର୍ଶ ଫି, ଔଷଧ କିମ୍ବା ପରୀକ୍ଷା ଖର୍ଚ୍ଚ ଆଦାୟ କରିପାରିବେ ନାହିଁ। ରୋଗୀ ଡିସଚାର୍ଜ ହେବା ପରେ ୧୫ ଦିନ ପର୍ଯ୍ୟନ୍ତ ଆବଶ୍ୟକ ପରାମର୍ଶ, ଔଷଧ, ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଓ ପୋଷ୍ଟ-ଅପରେଟିଭ୍ କେୟାର ମଧ୍ୟ ପ୍ୟାକେଜ ମୂଲ୍ୟ ଅଧୀନରେ ରହିବ । ପୋଷ୍ଟ-ହସ୍ପିଟାଲାଇଜେସନ ସମ୍ବନ୍ଧୀୟ ଖର୍ଚ୍ଚ ଆଦାୟ ନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଆସ୍ୟୁରାନ୍ସ ସୋସାଇଟି (SHAS) ପକ୍ଷରୁ ସମସ୍ତ ପଞ୍ଜୀକୃତ ହସ୍ପିଟାଲକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ସମସ୍ତ ସେବା ଯୋଜନାର ପ୍ୟାକେଜ୍ ମଧ୍ୟରେ ସାମିଲ ଥିବାରୁ ହସ୍ପିଟାଲ ପକ୍ଷରୁ ମାଗଣାରେ ପ୍ରଦାନ କରାଯିବ। ଏପରିକି ଅପରେସନ୍ ପରେ କୌଣସି ଜଟିଳତା ଦେଖାଦେଲେ କିମ୍ବା ପୁଣିଥରେ ଭର୍ତ୍ତି ହେବାକୁ ପଡ଼ିଲେ, ତାହାର ଖର୍ଚ୍ଚ ମଧ୍ୟ ହସ୍ପିଟାଲକୁ ବହନ କରିବାକୁ ପଡ଼ିବ।

ଆଉ ଏହି ଆଡଭାଇଜରୀ ଠିକସେ ଡାକ୍ତରଖାନାମାନଙ୍କରେ ପାଳନ କରାଯାଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ମନ୍ତ୍ରୀ ଭୁବନେଶ୍ଵରର ଦୁଇଟି ବେସରକାରୀ ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି ଜାରି ହୋଇଥିବା ଆଡଭାଇଜରି କେମିତି ଅନୁପାଳନ ହେଉଛି ପଚାରି ବୁଝିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ହେଲ୍ପ ଡେସ୍କର କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରି ରୋଗୀଙ୍କୁ ସମ୍ମାନଜନକ ଓ ଉତ୍ତମ ସେବା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ଲୋକଙ୍କ ଚିକିତ୍ସା ଖର୍ଚ୍ଚର ଭାର କମାଇବା ପାଇଁ, ନୂଆ ଆର୍ଥିକ ବୋଝ ସୃଷ୍ଟି କରିବା ପାଇଁ ନୁହେଁ। ତେଣୁ କୌଣସି ହସ୍ପିଟାଲ ଯଦି ନିୟମ ଉଲ୍ଲଂଘନ କରି ଟଙ୍କା ଆଦାୟ କରେ, ତେବେ ତୁରନ୍ତ ଅଭିଯୋଗ କରିବାକୁ ଲାଭାର୍ଥୀଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.