କୋଲକାତା: ତୃଣମୂଳ କଂଗ୍ରେସ ପାଇଁ ପୁଣି ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବଟି ଆଦାୟ ଆକ୍ରମଣ ଏବଂ ଧମକ ଚମକ ଦେବା ଭଳି ସଙ୍ଗିନ ଅଭିଯୋଗରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୈଳାଶ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ହାଓ୍ୱଡା ସିଟି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିହାରର ମଧୁବନୀ ଅଞ୍ଚଳରେ ଚଢ଼ାଉ କରି ତାଙ୍କୁ ଧରିବାରେ ସଫଳ ହୋଇଛି ବୋଲି ଡିସି (ନର୍ଥ) ଅମ୍ଳାନ କୁସୁମ ଘୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କୈଳାଶ ମିଶ୍ର ହାଓ୍ୱଡା ସଦର ଯୁବ ତୃଣମୂଳ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ନିକଟରେ ସେ ବାଲି ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀ ମଧ୍ୟ ହୋଇଥିଲେ। ଗତ କିଛି ଦିନ ଧରି ତାଙ୍କ ନାରେ ସ୍ଥାନୀୟ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ଠାରୁ ବଟି ଆଦାୟ କରିବା ଏବଂ ବିରୋଧ କଲେ ମାଡ଼ ମାରିବା ନେଇ ଏକାଧିକ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଥିଲା। କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ସେ ବିହାରକୁ ଫେରାର ହୋଇଯାଇଥିଲେ।
ଶେଷରେ ଏକ ଗୁପ୍ତ ସୂଚନା ଆଧାରରେ ପୋଲିସ ବିହାର ଯାଇ ମଧୁବନୀରୁ ତାଙ୍କୁ କାବୁ କରିଛି। ଟ୍ରାଞ୍ଜିଟ୍ ରିମାଣ୍ଡରେ ତାଙ୍କୁ ପଶ୍ଚିମବଙ୍ଗ ଅଣାଯାଇ ହାଓ୍ୱଡା କୋର୍ଟରେ ହାଜର କରାଯିବ। ଅନ୍ୟପକ୍ଷରେ କୈଳାଶଙ୍କ ଗିରଫଦାରୀ ପରେ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି।