Latest Odisha News

BREAKING NEWS

ନେପାଳ ସୀମାରୁ ଧରାପଡିଲେ ଟିଏମସି ନେତା ଜାହାଙ୍ଗୀର ଖାନ୍: ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଡାଇମଣ୍ଡ ହାର୍ବରର ଫାଲଟା ଅଞ୍ଚଳର ଟିଏମସିର ପ୍ରଭାବଶାଳୀ ନେତା ତଥା ନିଜକୁ ‘ପୁଷ୍ପା’ କହୁଥିବା ଜାହାଙ୍ଗୀର ଖାନଙ୍କୁ ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି।

 

ସେ ଫେରାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ନେପାଳ ସୀମା ନିକଟରୁ ଧରାପଡିଥିବା ସୂଚନା ମିଳିଛି। ଜାହାଙ୍ଗୀର ଖାନ୍ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କର ଜଣେ ଅତି ଘନିଷ୍ଠ ସହଯୋଗୀ ଭାବେ ପରିଚିତ।

 

ନିକଟରେ ଶେଷ ହୋଇଥିବା ନିର୍ବାଚନ ସମୟରେ ବ୍ୟାପକ ହିଂସା ଏବଂ ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା।

ନିର୍ବାଚନୀ ହିଂସା, ଭୋଟରମାନଙ୍କୁ ଧମକାଇବା, ଏବଂ ବେଆଇନ ଜମି ଦଖଲ ଭଳି ଅନେକ ମାମଲାରେ ତାଙ୍କ ନାମରେ ପ୍ରାୟ ୭ଟି ଏଫଆଇଆର ରୁଜୁ କରାଯାଇଥିଲା।

 

କଲିକତା ହାଇକୋର୍ଟ ତାଙ୍କର ଅନ୍ତରୀଣ ସୁରକ୍ଷା ବା ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଏହି ଗିରଫଦାରୀର ବାଟ ଫିଟିଥିଲା।

 

ନିର୍ବାଚନ ସମୟରେ ଅବଜରଭର ବା ପର୍ଯ୍ୟବେକ୍ଷକ ଭାବେ ଆସିଥିବା ଆଇପିଏସ ଅଜୟପାଲ ଶର୍ମାଙ୍କ ସହ ଜାହାଙ୍ଗୀରଙ୍କ ବିବାଦ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିର୍ବାଚନରେ କଡ଼ା ପଦକ୍ଷେପ ନେଉଥିବା ଆଇପିଏସ ଶର୍ମାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଜାହାଙ୍ଗୀର ଖାନ୍ କହିଥିଲେ ଯେ, “ଯଦି ଅଜୟପାଲ ଶର୍ମା ସିଙ୍ଘମ୍ ହୁଅନ୍ତି, ତେବେ ମୁଁ ହେଉଛି ପୁଷ୍ପା।” ସ୍ଥାନୀୟ ଅଞ୍ଚଳରେ ତାଙ୍କର ପ୍ରଭାବ ଏବଂ ଦବଦବା କାରଣରୁ ଲୋକେ ତାଙ୍କୁ ପୁଷ୍ପା ବୋଲି ମଧ୍ୟ କହୁଥିଲେ।

 

ନିର୍ବାଚନୀ ଗଣ୍ଡଗୋଳର ରିପୋର୍ଟ ପରେ ନିର୍ବାଚନ କମିଶନ ସେଠାରେ ଭୋଟ୍ ଗ୍ରହଣକୁ ବାତିଲ୍ କରି ପୁନଃ ମତଦାନ କରାଇଥିଲେ। ପରେ ଜାହାଙ୍ଗୀର ଖାନ୍ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ ଏବଂ ଏହି ଆସନରେ ବିଜେପି ବିଜୟ ହାସଲ କରିଥିଲା।

 

ବର୍ତ୍ତମାନ ଏସଟିଏଫ୍ ତାଙ୍କୁ ଗିରଫ କରିବା ପରେ ଅଧିକ ପଚରାଉଚରା ଜାରି ରଖିଛି। ଡାଇମଣ୍ଡ ହାର୍ବର ଅଞ୍ଚଳରେ ଟିଏମସି ପାଇଁ ଏହା ଏକ ବଡ଼ ରାଜନୈତିକ ଝଟକା ।

Leave A Reply

Your email address will not be published.