Latest Odisha News

BREAKING NEWS

ଦେଶର ସବୁଠାରୁ ଦୀର୍ଘ ସମୟର ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ଆଗକୁ ବଢ଼ୁଛନ୍ତି ନରେନ୍ଦ୍ର ମୋଦି ଜାଣନ୍ତୁ କାହା ନାଁରେ ରହିଛି ଶୀର୍ଷ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଇତିହାସ ରଚିଛନ୍ତି। କ୍ରମାଗତ ତିନି ଥର ଲୋକସଭା ନିର୍ବାଚନ ଜିତି ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି।

ପଣ୍ଡିତ ନେହରୁ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନେତା ଥିଲେ। ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ନେହରୁଙ୍କୁ ମହାତ୍ମା ଗାନ୍ଧୀଙ୍କ ସମର୍ଥନ ମିଳିଥିଲା। ସ୍ୱାଧୀନତା ପରେ କଂଗ୍ରେସ ପ୍ରତି ଲୋକଙ୍କର ବିପୁଳ ସମର୍ଥନ ରହିଥିଲା। ଏହି କାରଣରୁ ନେହରୁ କ୍ରମାଗତ ତିନୋଟି ସାଧାରଣ ନିର୍ବାଚନରେ କଂଗ୍ରେସକୁ ଏକତରଫା ବିଜୟ ଦେଇଥିଲେ। ସେହି ସମୟରେ ଦେଶରେ ବିରୋଧୀ ଦଳଙ୍କ ସ୍ଥିତି ପ୍ରାୟତଃ ନଥିଲା।

ଏବେ ସେ କ୍ରମାଗତ ତୃତୀୟ ଥର ଦେଶର ଶାସନ ଭାର ଗ୍ରହଣ କରିବା ପରେ ଭାରତୀୟ ରାଜନୀତିରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଏହା ସହିତ ସେ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ସେବା କରିଥିବା ପ୍ରଧାନମନ୍ତ୍ରୀଙ୍କ ଶୀର୍ଷ ତାଲିକାରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ରାଜନୈତିକ ମହଲରେ ଦେଶର ସବୁଠାରୁ ଦୀର୍ଘ ସମୟର ପ୍ରଧାନମନ୍ତ୍ରୀମାନଙ୍କ କାର୍ଯ୍ୟକାଳକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭାରତର ସଂସଦୀୟ ଇତିହାସରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିବାର ଅପ୍ରତିଦ୍ୱନ୍ଦ୍ୱୀ ରେକର୍ଡ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ରହିଛି। ସେ ୧୫ ଅଗଷ୍ଟ ୧୯୪୭ ରୁ ୨୭ ମେ ୧୯୬୪ ପର୍ଯ୍ୟନ୍ତ ପ୍ରାୟ ୧୬ ବର୍ଷ ୨୮୬ ଦିନ ଦେଶର ନେତୃତ୍ୱ ନେଇଥିଲେ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ସେ ଦୁଇଟି ପୃଥକ ପର୍ଯ୍ୟାୟରେ ମୋଟ ୧୫ ବର୍ଷ ୩୫୦ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପ୍ରଥମେ ୧୯୬୬ ରୁ ୧9୭୭ ଏବଂ ପରେ ୧୯୮୦ ରୁ ୧୯୮୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହି ଦେଶର ଅନେକ ଐତିହାସିକ ତଥା ସାହସିକ ନିଷ୍ପତ୍ତି ନେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଏହି ଶୀର୍ଷ ତାଲିକାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ୨୦୧୪ ମସିହାରୁ କ୍ରମାଗତ ଭାବେ ଦେଶର ନେତୃତ୍ୱ ନେଉଥିବା ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ କାର୍ଯ୍ୟକାଳକୁ ପଛରେ ପକାଇ ସାରିଛନ୍ତି। ମନମୋହନ ସିଂହ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦଶ ବର୍ଷ ବା ମୋଟ ୩୬୫୨ ଦିନ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ରହିଥିଲେ।

ଅନ୍ୟପକ୍ଷରେ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରା ସମ୍ପୂର୍ଣ୍ଣ ଭିନ୍ନ। ଏକ ସାଧାରଣ ପରିବାରରୁ ଆସିଥିବା ମୋଦି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ସେ ସାଧାରଣ କର୍ମୀ ଭାବେ କାମ କରିଥିଲେ। ୨୦୦୧ ମସିହାରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯେତେବେଳେ ସେ ୨୦୧୪ ମସିହାରେ ଜାତୀୟ ରାଜନୀତିରେ ପ୍ରବେଶ କଲେ ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା।

ସେତେବେଳେ ବିଜେପି ଏକ କଠିନ ସମୟ ଦେଇ ଗତି କରୁଥିଲା। ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନରେ ପରାଜୟ ପରେ ଦଳର ନେତା ଓ କର୍ମୀ ନିରାଶ ହୋଇପଡିଥିଲେ। କିନ୍ତୁ ମୋଦିଙ୍କ ନେତୃତ୍ୱ ଦଳରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା। ତାଙ୍କ ନେତୃତ୍ୱରେ ବିଜେପି ୨୦୧୪ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ପୂର୍ଣ୍ଣ ବହୁମତ ଆଣିଦେଇଥିଲା।

ଏହାପରେ ମଧ୍ୟ ଏହି ବିଜୟ ଧାରା ବଜାୟ ରହିଛି। ମୋଦିଙ୍କ ଆକର୍ଷଣୀୟ ନେତୃତ୍ୱ ଫଳରେ ବିଜେପି ଆଜି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବରେ ଉଭା ହୋଇଛି। ନିଜର ନିର୍ବାଚନୀ ରଣନୀତି ବଳରେ ଦଳ ବିଭିନ୍ନ ରାଜ୍ୟରେ ମଧ୍ୟ କ୍ରମାଗତ ଭାବେ ସରକାର ଗଠନ କରିବାରେ ସଫଳ ହୋଇଛି।

ନରେନ୍ଦ୍ର ମୋଦି କେବଳ ଦୀର୍ଘ ସମୟର ପ୍ରଧାନମନ୍ତ୍ରୀ ତାଲିକାରେ ସ୍ଥାନ ପାଇନାହାନ୍ତି ବରଂ ଦେଶର ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଦିନ ଶାସନ କରିବାର ନୂଆ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ଆଗାମୀ ଦିନରେ ସେ କାର୍ଯ୍ୟକାଳ ସଂଖ୍ୟା ମାମଲାରେ ପୁରୁଣା କୀର୍ତ୍ତିମାନକୁ ଭାଙ୍ଗି ଆହୁରି ଆଗକୁ ଯିବେ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି।

Leave A Reply

Your email address will not be published.