Latest Odisha News

BREAKING NEWS

ଭୁବନେଶ୍ୱର ଶ୍ରେୟା ଛକ ନିକଟରେ ବାଇକକୁ ଧକ୍କା ଦେଲା ଆମ ବସ୍, ଯୁବକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ଦିନ ଶ୍ରେୟା ଛକ ନିକଟରେ ଏକ ଆମ ବସ୍ ଏବଂ ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ ଚଳାଉଥିବା ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

 

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗୁରୁତର ଥିବା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡାକ୍ତରଖାନା ଆସିବା ବେଳକୁ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗମ୍ଭୀର ରହିଥିଲା।

 

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଆମ ବସକୁ ପୋଲିସ ନିଜ ହେପାଜତକୁ ନେଇ ଜବତ କରିଛି। ତେବେ ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଏବଂ କାହାର ଭୁଲ ଯୋଗୁଁ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି।

 

ଭୁବନେଶ୍ୱରରେ ଆମ ବସ୍ ଦ୍ୱାରା ଦୁର୍ଘଟଣା ଘଟିବା ଏବେ ନୀତିଦିନର ଘଟଣା ହୋଇଯାଇଛି। ଏହା ପୂର୍ବରୁ ମଧ୍ୟ ରମାଦେବୀ ମହିଳା କଲେଜ ନିକଟରେ ଏକ ଆମ ବସ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ।

 

ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ବାରମ୍ବାର ଏଭଳି ଘଟଣା ଅନ୍ୟ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.