ଭଦ୍ରକ: ପୋଲିସର ମାନବିକତା ଉପରେ ପୁଣି ଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ପିସିଆର ଗାଡ଼ିରେ ଡାକ୍ତରଖାନା ନେବାକୁ ସଫା ମନା କରିଦେଇଛନ୍ତି ପୋଲିସ ବାବୁ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଭଦ୍ରକ ସୀମାବର୍ତ୍ତୀ ରାଣୀତାଲ ମଇତାପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ ଦୁର୍ଘଟଣା ପରେ ରକ୍ତାକ୍ତ ଅବସ୍ଥାରେ ଆହତ ଜଣକ ରାସ୍ତା ଉପରେ ପଡ଼ିରହି ଜୀବନ ବିକଳରେ ଛଟପଟ ହେଉଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ପିସିଆର କର୍ମଚାରୀଙ୍କୁ ବାରମ୍ବାର ନେହୁରା ହୋଇଥିଲେ। ମାତ୍ର ଲୋକଙ୍କ କଥା ଶୁଣିବା ବଦଳରେ ପୋଲିସ କର୍ମଚାରୀମାନେ ଓଲଟା ସାହାଯ୍ୟ ମାଗୁଥିବା ଯୁବକମାନଙ୍କୁ ଖରାପ ବ୍ୟବହାର କରିଥିଲେ। ଆହତଙ୍କୁ ମେଡିକାଲ ନେବା ତ ଦୂରର କଥା ପୋଲିସ ବାବୁମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ୱରେ ଥିବା ପୋଲିସର ଏଭଳି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଭିଡିଓଟି ଭାଇରାଲ ହେବା ପରେ ପୋଲିସ କଡ଼ା ସମାଲୋଚନାର ଶିକାର ହୋଇଛି। ଏହି ବିବାଦୀୟ ଘଟଣା ଉପରେ ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆହତ ବ୍ୟକ୍ତି ବା ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ କରାଯାଇ ନାହିଁ। ତଥାପି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ପକ୍ଷଙ୍କ ଉପସ୍ଥିତିରେ ପୂରା ଘଟଣାର ସଠିକ୍ ଖୋଳତାଡ଼ କରାଯିବ। ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରାଙ୍କୁ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ୱ ଅର୍ପଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।