ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ଵାସନାର ଖବର। ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବାର ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି। ମୌସୁମୀ ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ତଥା କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି କାଳବୈଶାଖୀର ପ୍ରଭାବ ରହିବ। ଏହାପରେ ଜୁନ୍ ଦ୍ୱିତୀୟ ସପ୍ତାହ ଶେଷ ଆଡ଼କୁ ଅର୍ଥାତ୍ ୧୭ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ, ତେବେ ଏହା ମୌସୁମୀ ବାୟୁକୁ ଅଧିକ ସକ୍ରିୟ କରିବ। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବେଶ୍ ବୃଦ୍ଧି ପାଇବ।
ଅନ୍ୟପଟେ ଶୁକ୍ରବାରଠାରୁ ହିଁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବାକୁ ଯାଉଛି। ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରାଜ୍ୟର ୧୮ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ବାକି ୧୨ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।
ଏହି କ୍ରମରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ସମେତ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଭାବେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମୌସୁମୀ ବାୟୁର ଆଗମନ ଓ ଏହା ପୂର୍ବରୁ ହେବାକୁ ଥିବା ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ପ୍ରଚଣ୍ଡ ଗରମରୁ ଲୋକଙ୍କୁ ବଡ଼ ଆଶ୍ୱାସନ ମିଳିବ ବୋଲି ଆଶା କରାଯାଉଛି।