Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ରେରା ପୂର୍ବ ଆପାର୍ଟମେଣ୍ଟ ପଞ୍ଜୀକରଣ ହେଲା ସହଜ

ଭୁବନେଶ୍ୱର: ଘର କିଣାଳି, ଜମି ମାଲିକ ଏବଂ ପ୍ରମୋଟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ରାଜ୍ୟ ସରକାର। ଅକ୍ଟୋବର ୫ ତାରିଖ ୨୦୧୬ ମସିହାରେ ରିଏଲ ଇଷ୍ଟେଟ୍ ନିୟନ୍ତ୍ରଣ ଓ ବିକାଶ ଆଇନ ବା ରେରା ଲାଗୁ ହେବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ପ୍ରକଳ୍ପ ଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟାକୁ ଏବେ ସରଳ କରାଯାଇଛି। ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ନିର୍ଦ୍ଦେଶ କେବଳ ପ୍ରକୃତ ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜୀକରଣ ସୁବିଧା ପାଇଁ ଉଦ୍ଦିଷ୍ଟ। ବେଆଇନ ନିର୍ମାଣକୁ ଏହା ଦ୍ୱାରା ନିୟମିତ କରାଯିବ ନାହିଁ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଲ୍ଡିଂ ନିୟମ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆପାର୍ଟମେଣ୍ଟ ମାଲିକାନାରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନା ଆଇନ ୨୦୨୩ ଲାଗୁ ହୋଇଥିଲା। କିନ୍ତୁ ରେରା ପୂର୍ବରୁ ନିର୍ମିତ ପ୍ରକଳ୍ପର ଅନେକ କ୍ରେତା ପଞ୍ଜୀକରଣରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗତ ଡିସେମ୍ବର ୩ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ କେବଳ ବ୍ୟକ୍ତିଗତ କ୍ରେତାଙ୍କୁ ଆଶ୍ୱସ୍ତି ଦେଇଥିଲା। ପ୍ରମୋଟର ଏବଂ ଜମି ମାଲିକଙ୍କ ପାଖରେ ଥିବା ଆପାର୍ଟମେଣ୍ଟ ଗୁଡ଼ିକ ଏହି ସୁବିଧାରୁ ବଞ୍ଚିତ ଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ନୂଆ ବ୍ୟବସ୍ଥା ଆଣିଛନ୍ତି ଯାହା ଫଳରେ ଦଲିଲ ଏବଂ କାଗଜପତ୍ର ଜନିତ ସମସ୍ୟା ଦୂର ହୋଇପାରିବ।

ଏହି କୋହଳ ବ୍ୟବସ୍ଥା କେବଳ ଅକ୍ଟୋବର ୫ ତାରିଖ ୨୦୧୬ ପୂର୍ବରୁ ଶେଷ ହୋଇଥିବା ପ୍ରକଳ୍ପ ପାଇଁ ଲାଗୁ ହେବ। ଏହା ସହିତ ସେହି ପ୍ରକଳ୍ପର ଅତିକମରେ ଶତକଡ଼ା ୫୦ ଭାଗ ଆପାର୍ଟମେଣ୍ଟ ରେରା ତାରିଖ ପୂର୍ବରୁ ପଞ୍ଜୀକୃତ ବିକ୍ରୟ ଦଲିଲ ମାଧ୍ୟମରେ ହସ୍ତାନ୍ତର ହୋଇସାରିଥିବା ଆବଶ୍ୟକ। ସେହିପରି ପଞ୍ଜୀକରଣ ପାଇଁ ପ୍ରସ୍ତାବିତ ଆପାର୍ଟମେଣ୍ଟର ବିଲ୍ଡିଂ ପ୍ଲାନ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିହାତି ଜରୁରୀ।

ପ୍ରମୋଟର କିମ୍ବା ଜମି ମାଲିକମାନେ ପ୍ରକଳ୍ପ ପରିସରରେ ଅନୁମୋଦିତ ବିଲ୍ଡିଂ ପ୍ଲାନକୁ ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ଲଗାଇବା ବାଧ୍ୟତାମୂଳକ। ବିକ୍ରି ହୋଇନଥିବା କୌଣସି ଆପାର୍ଟମେଣ୍ଟର ପ୍ରଥମ ପଞ୍ଜୀକରଣ ପୂର୍ବରୁ ଆଲୋଟି ଆସୋସିଏସନ ଠାରୁ ଏକ ଏନଓସି ପ୍ରମାଣପତ୍ର ଆଣିବାକୁ ପଡ଼ିବ। ଏହାଦ୍ୱାରା ଆପାର୍ଟମେଣ୍ଟ ନମ୍ବର ସଠିକ ଥିବା ପ୍ରମାଣିତ ହେବ। ଏଥିସହ ସମସ୍ତ ସର୍ତ୍ତ ପୂରଣ ହୋଇଥିବା ନେଇ ଏକ ଅଣ୍ଡରଟେକିଂ ମଧ୍ୟ ଦେବାକୁ ପଡ଼ିବ। ଏହାଛଡ଼ା ପୂର୍ବ ଆଇନ ଅନୁଯାୟୀ ଗଠିତ ଆପାର୍ଟମେଣ୍ଟ ଆସୋସିଏସନ ଗୁଡ଼ିକ ନୂଆ ଆଇନ ଅନୁଯାୟୀ ବାଇ ଲ ଗ୍ରହଣ କଲେ ହିଁ ସେମାନଙ୍କୁ ସ୍ୱୀକୃତି ମିଳିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

Leave A Reply

Your email address will not be published.