ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଉପରେ ଚଢିଲା ଅଜଣା ଜନ୍ତୁ । ଉଦ୍ଧାର କଲେ ସେବାୟତ । ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଏକ ଅଜଣା ଜୀବ । ଗୁରୁବାର ରାତିରେ ଏକାଦଶୀ ମହାଦୀପ ଉଠିବା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଯାହାପରେ ଏହା ଶୁଭ ନା ଅଶୁଭ ତାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଗୁରୁବାର ଜଳକ୍ରୀଡ଼ା ଏକାଦଶୀ ଅବସରରେ ମହାଦୀପ ଉତ୍ତୋଳନ ସମୟରେ ସେବାୟତମାନେ ଶ୍ରୀମନ୍ଦିର ଚୂଡ଼ା ଉପରେ ଏହି ଜନ୍ତୁଟିକୁ ଦେଖିବାକୁ ପାଇଥିଲେ । ଏହି ସମୟରେ ଅଁଳା ବେଢ଼ାରେ ବୁଲୁଥିବା ଜୀବ ଟିଏ ନୀଳଚକ୍ରରେ ଚଢ଼ିଥିବା ସେବାୟତଙ୍କ ଉପରେ ଚଢ଼ି ଯାଇଥିଲା । ସେବାୟତ ଜଣକ ନୀଳଚକ୍ରରୁ ଓହ୍ଲାଇ ଆସିଥିଲେ । ଭାଇରାଲ୍ ଭିଡିଓରେ ଜନ୍ତୁଟି ଶ୍ରୀମନ୍ଦିରର ‘ଦଧିନଉତି’ ଅଞ୍ଚଳ ନିକଟରେ ଚଳାଚଳ କରୁଥିବା ଦେଖାଯାଇଛି। ପରେ ସେବାୟତମାନେ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଛାଡ଼ି ଦେଇଥିବା ସୂଚନା ମିଳିଛି।
ଯଦିଓ ଜନ୍ତୁଟିର ପରିଚୟ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ, ତଥାପି ଏହା ଶାଳିଆପତନୀ ବୋଲି ସନ୍ଦେହ କରାଯାଉଛି। ସୋସିଆଲ୍ ମିଡିଆରେ ଭିଡିଓଟି ଭାଇରାଲ୍ ହେବା ପରେ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ-ଏତେ ଉଚ୍ଚାତାକୁ ଜୀବଟିଏ କିପରି ଚଢିଲା ?
କେତେକ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମତରେ, ହୋଇପାରେ ଜନ୍ତୁଟି ଦୀର୍ଘ ସମୟ ଧରି ମନ୍ଦିରର ଉପର ଅଂଶରେ ଲୁଚି ରହିଥିଲା। ତେବେ ଏହା ସମ୍ପର୍କରେ ଏପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ଆଧିକାରିକ ବୟାନ ଜାରି ହୋଇନାହିଁ।