Latest Odisha News

BREAKING NEWS

Nationalist Citizens Party, ଜାଣନ୍ତୁ କଣ ଏହି ଦଳ; ଯେଉଁଠି ‘ବୁଡ଼’ ପକାଇବେ ଟିଏମସିର ବିଦ୍ରୋହୀ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିରେ ସୃଷ୍ଟି ହୋଇଥିବା ବଡ଼ ଧରଣର ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ମମତା ବାନାର୍ଜୀଙ୍କ ଦଳର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏକାଠି ହୋଇ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (ଏନସିପିଆଇ) ରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ନୂଆଦିଲ୍ଲୀରେ ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବା ପରେ ବିଦ୍ରୋହୀ ଗୋଷ୍ଠୀର ପ୍ରମୁଖ ଚେହେରା କାକୋଲି ଘୋଷ ଦସ୍ତିଦାର ଏହି ସୂଚନା ଦେଇଛନ୍ତି।

ରାଜନୈତିକ ମହଲରେ ଏବେ ସବୁଠାରେ ଏହି ନୂଆ ଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ଏହି ଦଳଟି ଏପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ବିଶେଷ ସକ୍ରିୟ ନଥିଲା। ଏହି ଆଞ୍ଚଳିକ ଦଳଟି ମୁଖ୍ୟତଃ ତ୍ରିପୁରାରେ ନିଜର ସଂଗଠନ ଚଳାଇବା ସହ ସେଠାକାର ବଙ୍ଗାଳୀ ସମୁଦାୟ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ତେବେ ସଂସଦକୁ କିମ୍ବା କୌଣସି ବିଧାନସଭାକୁ କୌଣସି ଜନପ୍ରତିନିଧି ଏହି ଦଳରୁ ନିର୍ବାଚିତ ହୋଇନାହାନ୍ତି। ଅର୍ଥାତ ଶୂନ ରହିଛି ଏହି ଦଳର ସାଂସଦ ବା ବିଧାୟକଙ୍କ ସଂଖ୍ୟା।

ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ ଦାୟିତ୍ୱରେ କିଏ?

ନିର୍ବାଚନ କମିଶନଙ୍କ ରେକର୍ଡ ଅନୁସାରେ ଏହା ଏକ ପଞ୍ଜିକୃତ ଅଣମାନ୍ୟତା ପ୍ରାପ୍ତ ଦଳ। ଏହି ଦଳଟି ୨୦୨୩ ଜାନୁଆରୀ ୨୦ ତାରିଖରେ ତ୍ରିପୁରା ବିଧାନସଭା ନିର୍ବାଚନର ଠିକ୍ କିଛି ସପ୍ତାହ ପୂର୍ବରୁ ପଞ୍ଜିକୃତ ହୋଇଥିଲା। ପଶ୍ଚିମବଙ୍ଗରୁ ଏହାର କାର୍ଯ୍ୟକଳାପ ଆରମ୍ଭ ହୋଇଥିଲେ ସୁଦ୍ଧା ଦଳ ନିଜର ପ୍ରଥମ ନିର୍ବାଚନ ତ୍ରିପୁରାରେ ଲଢ଼ିଥିଲା। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଏହି ଦଳକୁ ମୋଟ ମାତ୍ର ୧ ଲକ୍ଷ ୧୩ ହଜାର ଟଙ୍କାର ପାଣ୍ଠି ବା ଦାନ ଚାନ୍ଦା ଆକାରରେ ମିଳିଥିଲା।

ଦଳର କାଗଜପତ୍ର ଅନୁଯାୟୀ ଶିଉଲି କୁଣ୍ଡୁ ଏହି ଦଳର କୋଷାଧ୍ୟକ୍ଷ ଅଛନ୍ତି। ସେ ପଶ୍ଚିମବଙ୍ଗର ହାଓ୍ୱଡା ଜିଲ୍ଲା ବାନୀପୁର ଅଞ୍ଚଳରେ ପଞ୍ଜିକୃତ ଅନ୍ୟ ଦୁଇଟି ସଂସ୍ଥାର ମଧ୍ୟ ନିର୍ଦ୍ଦେଶକ ଅଛନ୍ତି। ଏହି ଦଳର ଅଫିସ ମଧ୍ୟ ସେହି ସମାନ ଠିକଣାରେ ରହିଛି। ଦଳର ସଭାପତି ଉତ୍ତୀୟ କୁଣ୍ଡୁ ହେଉଛନ୍ତି ଶିଉଲିଙ୍କ ସ୍ୱାମୀ। ଦଳର ଆଉ ଜଣେ ନେତା ଶାନ୍ତନୁ ଦେ ମିଡିଆକୁ କହିଛନ୍ତି ଯେ ତ୍ରିପୁରାର ଜନଜାତି ସମୁଦାୟକୁ ପ୍ରତିନିଧିତ୍ୱ ଦେବା ପାଇଁ ସେମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ।

ତ୍ରିପୁରା ନିର୍ବାଚନରେ ଦଳ ୭ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୪ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା। ଶେଷରେ ଦଳୀୟ ଚିହ୍ନରେ ଲଢ଼ିଥିବା ଦୁଇ ପ୍ରାର୍ଥୀଙ୍କୁ ମିଶାଇ ଦଳକୁ ମୋଟ ୧,୧୯୮ଟି ଭୋଟ ମିଳିଥିଲା। ପରବର୍ତ୍ତୀ ସମୟରେ ପାଣ୍ଠି ଅଭାବ ଓ ଆଭ୍ୟନ୍ତରୀଣ ବିବାଦ ଯୋଗୁଁ ଦଳର ସଂଗଠନ ଏକ ପ୍ରକାର ନିଷ୍କ୍ରିୟ ହୋଇଯାଇଥିଲା। ଏବେ ଟିଏମସି ସାଂସଦଙ୍କ ମିଶ୍ରଣ ପରେ ଏହି ଅଜ୍ଞାତ ଦଳଟି ହଠାତ ସଂସଦରେ ବଡ଼ ଶକ୍ତି ଭାବେ ଉଭା ହୋଇଛି।

ଦଳ ବଦଳ ବିରୋଧୀ ଆଇନର କଡ଼ା ନିୟମରୁ ରକ୍ଷା ପାଇବା ପାଇଁ ଟିଏମସିର ବିଦ୍ରୋହୀ ସାଂସଦମାନେ ଏହି ରଣନୀତି ଆପଣାଇଛନ୍ତି। ଦଳର ମୋଟ ସଦସ୍ୟ ସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ ସାଂସଦ ଏହି ନୂଆ ଦଳରେ ସାମିଲ ହେଉଥିବାରୁ ସେମାନଙ୍କ ସଦସ୍ୟ ପଦ ବଜାୟ ରହିବ। ଏହି ମିଶ୍ରଣ ପରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ଏହି ଦଳ ଦ୍ୱିତୀୟ ବୃହତ୍ତମ ସହଯୋଗୀ ଭାବେ ଉଭା ହେବ।

ଅନ୍ୟପଟେ ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ସେମାନେ ଆଗାମୀ ଦିନରେ ପ୍ରକୃତ ଟିଏମସିର ମାନ୍ୟତା ଓ ଦଳୀୟ ଚିହ୍ନ ପାଇଁ ଆଇନଗତ ଲଢ଼େଇ ଜାରି ରଖିବେ। ଏହି ବଡ଼ ଧରଣର ରାଜନୈତିକ ଓଲଟପାଲଟ ପଶ୍ଚିମବଙ୍ଗର ରାଜନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

Leave A Reply

Your email address will not be published.