Latest Odisha News

BREAKING NEWS

ସରପଞ୍ଚ ଚାମେଲି ଓଝା ଘଟଣା; ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ ଏହା କ’ଣ ନାରୀଙ୍କୁ ସମ୍ମାନ…

ଭୁବନେଶ୍ବର: ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ସେ ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ବିଜେପି ସରକାରରେ ଜଣେ ମହିଳା ସରପଞ୍ଚଙ୍କ ଉପରେ ହେଉଥିବା ଦମନଲୀଳାର ସାକ୍ଷୀ ରହୁଛି ଓଡ଼ିଶା।

ମହାକାଳପଡ଼ା, ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥିବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳଜଳ ଦେଖାଯାଉଛି।

‘ନାରୀ ଶକ୍ତି ବନ୍ଦନ’ କହି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ’ଣ ନାରୀଙ୍କୁ ସମ୍ମାନ? ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି ତେବେ ରାଜ୍ୟରେ ଅଗଣିତ ମହିଳାଙ୍କ ସ୍ଥିତି କ’ଣ ତାହା ସ୍ପଷ୍ଟ ଜଣାପଡୁଛି। ବିଜେପି ନେତାମାନେ ବାରମ୍ବାର ସରକାରୀ କାର୍ଯ୍ୟାଳୟରେ ପଶି ଘଟାଇଥିବା ଅଭାବନୀୟ କାଣ୍ଡ ସାରା ଓଡ଼ିଶା ଦେଖିଛି। ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ବିଜେପି ଶାସନରେ ଆଇନ କ’ଣ ଅଲଗା ଅଲଗା? ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ୱାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା ସରପଞ୍ଚ ଚାମେଲି ଏବେ କେନ୍ଦ୍ରାପଡା ହସ୍ପିଟାଲରେ। ୧୫ ନମ୍ବର କ୍ୟାବିନିରେ ଚିକିତ୍ସିତ ହେଉଛନ୍ତି। ଚାମେଲିଙ୍କ ଜୀବନ ପ୍ରତି ଭୟ ଥିବା କହିଛନ୍ତି ତାଙ୍କ ବାପା। ଚାମେଲିଙ୍କୁ ୨୦ ଜଣ ଲୋକ ଘେରି ରହିଥିବା ସେ ଅଭିଯୋଗ କରିଛନ୍ତି। ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ହୋଇଥିବା ତୀବ୍ର ବିବାଦ ଓ ହଙ୍ଗାମା ଅଭିଯୋଗରେ କେନ୍ଦ୍ରାପଡ଼ା ପୋଲିସ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫ କରିଥିଲା। ଏହାପରେ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.