Latest Odisha News

BREAKING NEWS

ଫିଫା ବିଶ୍ୱକପ୍ ୨୦୨୬ ଭବିଷ୍ୟବାଣୀ

ପର୍ତ୍ତୁଗାଲକୁ ହରାଇ ନେଦରଲ୍ୟାଣ୍ଡସ୍ ଜିତିବ ବିଶ୍ୱକପ୍ ଟ୍ରଫି !

ଫୁଟବଲ୍ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଆମେରିକା, କାନାଡା ଏବଂ ମେକ୍ସିକୋ ମାଟିରେ ଆରମ୍ଭ ହୋଇଯାଇଛି ‘ଫିଫା ବିଶ୍ୱକପ୍ ୨୦୨୬’ର ମହାଲଢ଼େଇ। କିଏ ହେବ ଚଳିତ ବର୍ଷର ବିଶ୍ୱ ବିଜେତା ? କାହା ମୁଣ୍ଡରେ ଲାଗିବ ସୁନା ମୁକୁଟ ? ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ, ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି। ଜଣେ ଏମିତି ବ୍ୟକ୍ତି, ଯାହାଙ୍କର ଗୋଟିଏ କି ଦୁଇଟି ନୁହେଁ, ବରଂ କ୍ରମାଗତ ୩ଟି ବିଶ୍ୱକପ୍‌ର ଭବିଷ୍ୟବାଣୀ ଶତପ୍ରତିଶତ ସତ ପ୍ରମାଣିତ ହୋଇଛି, ସେ ଏବେ ୨୦୨୬ର ଚାମ୍ପିଅନ୍‌କୁ ନେଇ ବଡ଼ ଦାବି କରିଛନ୍ତି।

ଫୁଟବଲ୍ ଦୁନିଆରେ ବିଜେତାଙ୍କ ଅନୁମାନ କରିବା ସବୁଠାରୁ କଠିନ କାମ। ଖେଳାଳିଙ୍କ ଫର୍ମ, ରଣନୀତି ଏବଂ ଭାଗ୍ୟ କେତେବେଳେ କେଉଁଆଡ଼େ ମୋଡ଼ ନେବ, ତାହା କେହି କହିପାରିବେ ନାହିଁ। କିନ୍ତୁ ଜର୍ମାନୀର ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଜୋଆକିମ୍ କ୍ଲେମେଣ୍ଟ ଏହି କଠିନ କାମକୁ ସହଜ କରି ଦେଖାଇଛନ୍ତି। କୌଣସି ଯାଦୁ କିମ୍ବା ଗଣନା ନୁହେଁ, ବରଂ ନିଜର ଏକ ସ୍ୱତନ୍ତ୍ର ପରିସଂଖ୍ୟାନ ବା ଷ୍ଟାଟିଷ୍ଟିକାଲ୍ ମଡେଲ୍ ଜରିଆରେ ସେ କ୍ରମାଗତ ୩ଟି ବିଶ୍ୱକପ୍‌ର ସଠିକ୍ ଆକଳନ କରିଥିଲେ। ୨୦୧୪ରେ ଜର୍ମାନୀ, ୨୦୧୮ରେ ଫ୍ରାନ୍ସ ଏବଂ ୨୦୨୨ରେ ମେସିଙ୍କ ଆର୍ଜେଣ୍ଟିନା ବିଶ୍ୱକପ୍ ଜିତିବ ବୋଲି ସେ ପୂର୍ବରୁ ହିଁ କହିସାରିଥିଲେ, ଯାହା ଅବିକଳ ସତ ପ୍ରମାଣିତ ହୋଇଥିଲା।

ତେବେ ଚଳିତ ୨୦୨୬ ଫିଫା ବିଶ୍ୱକପ୍ ପାଇଁ ସେ କାହାକୁ ବାଛିଛନ୍ତି ? ଜୋଆକିମ୍ କ୍ଲେମେଣ୍ଟଙ୍କ ଏହି ନୂଆ ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଦେଇଛି। କ୍ଲେମେଣ୍ଟଙ୍କ ଗାଣିତିକ ସୂତ୍ର ଅନୁଯାୟୀ, ଏଥର ଫ୍ରାନ୍ସ, ଆର୍ଜେଣ୍ଟିନା କିମ୍ବା ବ୍ରାଜିଲ୍ ନୁହେଁ, ବରଂ ନେଦରଲ୍ୟାଣ୍ଡସ୍ ଇତିହାସ ରଚିବାକୁ ଯାଉଛି। କେବଳ ସେତିକି ନୁହେଁ, ତାଙ୍କ ମଡେଲ୍ ଦର୍ଶାଉଛି ଯେ, ଚଳିତ ବିଶ୍ୱକପ୍‌ର ମହାଫାଇନାଲରେ ନେଦରଲ୍ୟାଣ୍ଡସ୍ ଏବଂ ପର୍ତ୍ତୁଗାଲ ମଧ୍ୟରେ ଟକ୍କର ହେବ ଏବଂ ଏଥିରେ ପର୍ତ୍ତୁଗାଲକୁ ହରାଇ ନେଦରଲ୍ୟାଣ୍ଡସ୍ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିବ। ଏ ସମ୍ପର୍କରେ ନିଜେ କ୍ଲେମେଣ୍ଟ କହିଛନ୍ତି ଯେ, ଜଣେ ଜର୍ମାନ ନାଗରିକ ହୋଇ ନେଦରଲ୍ୟାଣ୍ଡସ୍‌ର ବିଜୟ କଥା କହିବା ତାଙ୍କ ପାଇଁ ଟିକେ କଷ୍ଟକର, କିନ୍ତୁ ଆକଳନ ଏହା ହିଁ ଦର୍ଶାଉଛି।

କେଉଁ ଆଧାରରେ ହୋଇଛି ଭବିଷ୍ୟବାଣୀ ?

  • ଦେଶର ଜନସଂଖ୍ୟା ଓ ଆର୍ଥିକ ସ୍ଥିତି (GDP)
  • ଜଳବାୟୁ ଏବଂ ହାରାହାରି ତାପମାତ୍ରା
  • ଫିଫା ର‍୍ୟାଙ୍କିଙ୍ଗ୍ ଏବଂ ଦଳର ସାମ୍ପ୍ରତିକ ଫର୍ମ
  • ୪୫ ପ୍ରତିଶତ ଭାଗ୍ୟ ବା ‘ଲକ୍ ଫ୍ୟାକ୍ଟର’

ନେଦରଲ୍ୟାଣ୍ଡସ୍ ଦଳ ଏପର୍ଯ୍ୟନ୍ତ ୩ ଥର ବିଶ୍ୱକପ୍ ଫାଇନାଲରେ ପହଞ୍ଚି ରନର୍ସ-ଅପ୍ ରେ ରହିଯାଇଛି। ସେଥିପାଇଁ ତାଙ୍କୁ ଫୁଟବଲ୍ ଦୁନିଆର ‘ବିନା ମୁକୁଟର ବାଦଶାହା’ କୁହାଯାଏ। କିନ୍ତୁ ଏହି ଆକଳନ ପରେ ଅରେଞ୍ଜ ସେନାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି। ଯଦିଓ କ୍ଲେମେଣ୍ଟ କହିଛନ୍ତି ଯେ ଫୁଟବଲ୍‌ରେ ପ୍ରାୟ ୪୫% ଫଳାଫଳ କେବଳ ଭାଗ୍ୟ ଉପରେ ନିର୍ଭର କରେ ଏବଂ ତାଙ୍କ ପାଖରେ କୌଣସି ଯାଦୁକରୀ କ୍ରିଷ୍ଟାଲ୍ ବଲ୍ ନାହିଁ। ତଥାପି, ତାଙ୍କର ପୂର୍ବ ରେକର୍ଡ ଦେଖି ସାରା ବିଶ୍ୱର ସ୍ପୋର୍ଟସ ବିଶେଷଜ୍ଞ ଏହାକୁ ସହଜରେ ଏଡ଼ାଇ ଦେଇପାରୁନାହାନ୍ତି।

ଏବେ ଅପେକ୍ଷା ଜୋଆକିମ୍ କ୍ଲେମେଣ୍ଟଙ୍କ ଏହି ଚତୁର୍ଥ ଭବିଷ୍ୟବାଣୀ କେତେ ସତ ପ୍ରମାଣିତ ହେଉଛି। ନେଦରଲ୍ୟାଣ୍ଡସ୍ ନିଜର ପ୍ରଥମ ଟ୍ରଫି ଜିତି ଇତିହାସ ବଦଳାଉଛି, ନା କ୍ରୀଡ଼ା ଜଗତ ଆମକୁ ଆଉ ଏକ ନୂଆ ଚାମ୍ପିଅନ୍ ଦେଉଛି।

Comments are closed.