ଭୁବନେଶ୍ୱର: ସୋସିଆଲ ମିଡିଆରେ ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯାଗରେ ବନ୍ଧା ହେଲେ ପ୍ରଫେସର । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରୁଥିବା ଅଜିତ କୁମାର ଗୁପ୍ତାଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ ।
ପୋଲିସର ସୂଚନା ଅନୁସାରେ, ଅଜିତ ଛାତ୍ରୀକୁ ପାଠ ପଢ଼ା ଆଳରେ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ପିଛା କରି ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରି ମେସେଜ କରୁଥିଲେ । ଏପରିକି ତାଙ୍କ କଥାରେ ରାଜି ନ ହେବାରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏନେଇ ଛାତ୍ରୀ ଜଣଙ୍କୁ ଅଧ୍ୟାପକ ଅଜିତ ଗୁପ୍ତା ନାଁରେ ଅଭିଯୋଗ କରିଥିଲେ ।
ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଗତମାସ ୧୫ ତାରିଖରେ କୋଲକାତାରୁ ପ୍ରଫେସର ଅଜିତ ଗୁପ୍ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ଜାମିନରେ ମୁକୁଳିବା ପରେ ପ୍ରଫେସର ଅଜିତ ଗୁପ୍ତା ପୁଣି ଉକ୍ତ ଛାତ୍ରୀଙ୍କ ଫଟୋ, ଭିଡିଓ ପ୍ରଘଟ କରିବା ସହ ଫୋନ୍ କରି ହଇରାଣ ହରକତ କରୁଥିଲେ । ଏନେଇ ପୁଣି ଛାତ୍ରୀ ଜଣଙ୍କ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଉ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । କେସ ନମ୍ବର ୫୦୧ ରେ ବିଭିନ୍ନ ଅପରାଧିକ ଦଫାରେ କୋର୍ଟ ଚାଲାଣ କରାଯାଇଛି ।
