ନୂଆଦିଲ୍ଲୀ: ନୂଆ କାର କିଣିବାର ଖୁସି ଅଲଗା। କିନ୍ତୁ ଶୋରୁମ୍ରେ ଯେଉଁ କାରଟି “ଏକଦମ ନୂଆ” ବୋଲି ଦେଖାଯାଉଛି, ସେଟି ସତରେ ନୂଆ ତ? ଏହି ପ୍ରଶ୍ନ ଅଧିକାଂଶ କିଣିବା ଲୋକ ଭୁଲି ଯାଆନ୍ତି।
ଅନେକ ସମୟରେ ଗୋଟିଏ କାର ଫ୍ୟାକ୍ଟ୍ରୀରୁ ବାହାରିବା ପରଠୁ ବିକ୍ରି ହେବା ପର୍ଯ୍ୟନ୍ତ ଅନେକ ମାସ ଲାଗିଯାଏ। କେତେକ କ୍ଷେତ୍ରରେ ଏହି କାର ବର୍ଷେରୁ ଅଧିକ ମଧ୍ୟ ହୋଇଥାଏ। ଏହାର ପ୍ରଭାବ ପଡ଼େ ୱାରେଣ୍ଟି, ବୀମା ଏବଂ ଭବିଷ୍ୟତର ରିସେଲ ଭାଲ୍ୟୁ ଉପରେ। ତେଣୁ କାର କିଣିବା ଆଗରୁ ତାହା କେତେ ପୁରୁଣା ଜାଣିବା ଦରକାର।
ପ୍ରତ୍ୟେକ ଗାଡ଼ିର ଏକ ୧୭ ଅଙ୍କ ବିଶିଷ୍ଟ ୟୁନିକ ନମ୍ବର ଥାଏ, ଯାହାକୁ VIN ବା ଚ୍ୟାସିସ ନମ୍ବର କୁହାଯାଏ। ଏହି ନମ୍ବରରେ ୧୦ ନମ୍ବର ଅକ୍ଷର ବା ଅଙ୍କ ଦ୍ୱାରା କାରର ନିର୍ମାଣ ବର୍ଷ ଜଣାଯାଏ। ଏହି ନମ୍ବର ସାଧାରଣତଃ ଡ୍ୟାସ୍ବୋର୍ଡ, ଡ୍ରାଇଭର ଝରକା ପାଖ ବା ଇଞ୍ଜିନ ପାଖରେ ଲେଖାଯାଇଥାଏ।
ଏହା ସହ ଡ୍ରାଇଭର ଝରକା ଭିତରରେ ବା ବନ୍ଧ ତଳ ଭାଗରେ ଏକ ମ୍ୟାନୁଫ୍ୟାକ୍ଚରିଂ ପ୍ଲେଟ ଥାଏ। ସେଥିରେ ଗାଡ଼ି ତିଆରି ହୋଇଥିବା ମାସ ଓ ବର୍ଷ ସ୍ପଷ୍ଟ ଲେଖା ଥାଏ। ଯଦି କାର ୬ ମାସ ବା ତା ଅଧିକ ପୁରୁଣା, ତେବେ ଡିଲର ସହ ସ୍ପଷ୍ଟ କଥା ହେବା ଦରକାର।
ପ୍ରତ୍ୟେକ ଟାୟାରରେ ଚାରୋଟି ଅଙ୍କ ବିଶିଷ୍ଟ ଏକ ତାରିଖ କୋଡ ଲେଖାଥାଏ। ଉଦାହରଣ ସ୍ୱରୂପ, ୨୩୨୨ ଲେଖାଥିଲେ ଅର୍ଥ ଏହା ୨୦୨୨ ବର୍ଷର ୨୩ ସପ୍ତାହ। ଟାୟାର ଅଧିକ ପୁରୁଣା ହୋଇଥିଲେ, ବୁଝି ନେବାକୁ ହେବ ଯେ ଗାଡ଼ିଟି ଦୀର୍ଘ ଦିନ ଷ୍ଟକ୍ରେ ପଡ଼ି ରହିଛି।
ଗାଡିର ବ୍ୟାଟେରୀ ଉପରେ ମ୍ୟାନୁଫ୍ୟାକ୍ଚରିଂ ତାରିଖ ଥାଏ। ଦୀର୍ଘ ଦିନ ଧରି ଅଣ ବ୍ୟବହୃତ ଅବସ୍ଥାରେ ଥିଲେ ବ୍ୟାଟେରୀ ଦୁର୍ବଳ ହୋଇ ଯାଇପାରେ। ଏହା ଛଡ଼ା ଓଡ଼ୋମିଟର ରିଡ଼ିଂ ମଧ୍ୟ ଦେଖନ୍ତୁ। ଏକଦମ ନୂଆ ଗାଡ଼ିରେ ସାଧାରଣତଃ ୧୦ ରୁ ୫୦ କିଲୋମିଟର ରିଡ଼ିଂ ଥାଏ, ଯେହେତୁ ଫ୍ୟାକ୍ଟ୍ରି ଟେଷ୍ଟ ଓ ଟ୍ରାନ୍ସପୋର୍ଟ ପାଇଁ ଏତିକି ଚଲାଯାଇଥାଏ।
ଏକ୍ସପୋର୍ଟଙ୍କ ମତ ଅନୁଯାୟୀ, ୩ ରୁ ୪ ମାସ ପୁରୁଣା କାର କିଣିବା ଠିକ୍। କିନ୍ତୁ ଏହାଠୁ ଅଧିକ ସମୟ ଆଗ ତିଆରି ହୋଇଥିଲେ ଗ୍ରାହକ ଡିଲରଙ୍କ ଠାରୁ ଅତିରିକ୍ତ ଡିସକାଉଣ୍ଟ ମାଗିପାରିବେ ବା ଅନ୍ୟ ଗାଡ଼ି ଦେବାକୁ ଦାବି ରଖିପାରିବେ।
